ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବିକାଶର ଦାବି ମଧ୍ୟରେ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା। ଗୌଡ଼ଗୁଡ଼ା ପଞ୍ଚାୟତ ଅଧୀନ ଲଚମନି ଗାଁରେ ମଶାଣିକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଗ୍ରାମବାସୀମାନେ କାନ୍ଧରେ ବୋହି ପ୍ରାୟ ଦୁଇ କିଲୋମିଟର ଜମି ହିଡ଼ ଦେଇ ଶେଷକୃତ୍ୟ ସ୍ଥଳକୁ ନେବାକୁ ବାଧ୍ୟ ହୋଇଥିଲେ। ସୂଚନା ଅନୁଯାୟୀ, ଗାଁର ମଙ୍ଗୁଳି ଖରାଙ୍କ ପରଲୋକ ପରେ ପରିବାର ଓ ଗ୍ରାମବାସୀ ଶେଷକୃତ୍ୟ ପାଇଁ ମୃତଦେହକୁ ମଶାଣିକୁ ନେବାକୁ ବାହାରିଥିଲେ। କିନ୍ତୁ ମଶାଣିକୁ ସଂଯୋଗ କରୁଥିବା କୌଣସି ଚଳନଯୋଗ୍ୟ ରାସ୍ତା ନଥିବାରୁ ସେମାନଙ୍କୁ ଜମିର ହିଡ଼ ଓ କଷ୍ଟସାଧ୍ୟ ପଥ ଦେଇ ମୃତଦେହ ବୋହି ଯିବାକୁ ପଡ଼ିଥିଲା। ପ୍ରିୟଜନଙ୍କୁ ହରାଇବାର ଅସହ୍ୟ ଦୁଃଖ ମଧ୍ୟରେ ଏଭଳି ପରିସ୍ଥିତି ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନର ମୌଳିକ ସୁବିଧା ପ୍ରତି ଅବହେଳାକୁ ନେଇ ପ୍ରଶ୍ନ ଉଠିଛି। ଗାଁରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଶେଷଯାତ୍ରା ଭଳି ମୌଳିକ ଆବଶ୍ୟକତାରେ ମଧ୍ୟ ରାସ୍ତାର ଅଭାବ ଥିବା ବିକାଶ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ଗ୍ରାମବାସୀମାନେ ଦୀର୍ଘଦିନ ଧରି ମଶାଣିକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଲଚମନି ଗାଁର ମଶାଣିକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବେ କି ନାହିଁ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।





