ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ନଦୀ ମଝିରେ ଗାଁ । ବାରମ୍ବାର ଦାବି ପରେ ମଧ୍ଯ ନିର୍ମାଣ ହୋଇପାରୁନି ସେତୁ । ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ବାଲିଗୁଡା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଗୁଞ୍ଜୁରୁପଡି ଗ୍ରାମବାସୀ । ନଦୀ ଉପରେ ସେତୁ ନିର୍ମାଣ ପାଇଁ ଜନପ୍ରତିନିଧୂଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବହୁବାର ନେହୁରା କରି କୌଣସି ସୁଫଳ ମିଳୁନି । ଦୁଇ ନଦୀ ମଝିରେ ରହିଛି ଗଞ୍ଜୁରୁପଡି ଗ୍ରାମ । ବିଭିନ୍ନ କାର୍ଯ୍ୟରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭକରି ବିଦ୍ୟାର୍ଥୀ ସିନ୍ଦ୍ରିଗାଁ ଏବଂ ବାଲିଗୁଡା ଉପରେ ନିର୍ଭର କରୁଛନ୍ତି । ଖରା ଏବଂ ଶୀତ ଦିନରେ କୌଣସି ପ୍ରକାରେ ନଦୀ ପାରି ହୋଇଥାନ୍ତି କିନ୍ତୁ ବର୍ଷା ଦିନରେ ନଦୀ ଜଳସ୍ତର ବଢ଼ିଯାଏ । ତେଣୁ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଘେରରେ ରହିଥାନ୍ତି । ନଦୀ ପାରି ପାଇଁ ଲୋକେ ଦେଶୀ ଡ଼ଙ୍ଗା ଉପରେ ଭରସା କରିଥାନ୍ତି । ଏଥିରେ ମାତ୍ର ଦୁଇ ଜଣ ଯାତାୟାତ କରୁଛନ୍ତି । ଅଧୂକ ଲୋକେ ଡଙ୍ଗାରେ ଗଲେ ବିପଦ ମାଡ଼ିଆସେ ଏବଂ ଅନେକ ସମୟରେ ଡ଼ଙ୍ଗା ନଦୀ ମଝିରେ ବୁଡି ମୃତାହତ ହୋଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l କିନ୍ତୁ ବର୍ତମାନ ଦେଶୀ ଡ଼ଙ୍ଗା ବି ଭାଙ୍ଗିବା ଅବସ୍ଥାରେ ରହିଛି । ଡଙ୍ଗାରେ ନାଉରିଆ ନଥିଲେ ଜରୁରୀ କାମ ପଡିଲେ ଲୋକେ ନଦୀ ଭିତରେ ପଶି ଜୀବନକୁ ବାଜି ଲଗାଇ ହାତକୁ ହାତ ଧରି ବାଡ଼ି ସାହାଯ୍ୟରେ ନଦୀ ପାର ହୋଇଥାନ୍ତି । ନଦୀରେ ଅଧିକ ପାଣି ପ୍ରବାହିତ ହେଲେ ଜଳସ୍ତର ଖସିଲା ପର୍ଯ୍ୟନ୍ତ ଲୋକେ ନଦୀ କୂଳରେ ରାତି ତମାମ ଅପେକ୍ଷା କରିଥାନ୍ତି । ନଦୀରେ ପାଣି ଆସିଲେ ବିଦ୍ୟାର୍ଥୀ ଙ୍କ ବିଦ୍ୟାଳୟ ଓ କଲେଜ ଯିବା ବନ୍ଦ ହୁଏ | ଗ୍ରାମ ଟି ବାଲିଗୁଡା ସହରରୁ ମାତ୍ର, ୩ ରୁ ୪ କିମି ରାସ୍ତା ଓ ଏହି ଗ୍ରାମରେ ଶତାଧିକ ଲୋକ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ଦିନ ହେଲା ବସବାସ କରିଆସୁଛନ୍ତି l ଏହି ଗ୍ରାମରେ ଗୋଟିଏ ଅଙ୍ଗନବାଡି ରହିଛି ଗ୍ରାମରେ ପକ୍କା ରାସ୍ତା ଟିଏ ନାହିଁ | ମୌଳିକ ସିବିଧାରୁ ବଂଚିତ ଅଛନ୍ତି ଗ୍ରାମବାସୀ | ନଦୀ ଉପରେ ସେତୁ ନିର୍ମାଣ ସହିତ ଉନ୍ନତ ଡଙ୍ଗା ବ୍ୟବସ୍ଥା କରିବାକୁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲାପାଳ, ବିଧାୟକ ଓ ସାଂସଦ ଙ୍କ ପାଖରେ ଙ୍କ ଅଭିଯୋଗ ଏବଂ ଦାବି ଉପସ୍ଥାପନ କରିଛନ୍ତି । ତଥାପି କୌଣିସ ପଦକ୍ଷେପ ନିଆ ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ବାବଦରେ ସିନ୍ଦ୍ରିଗାଁ ସରପଞ୍ଚ ରଘୁନାଥ ମଲ୍ଲିକ କହିଛନ୍ତି ଗୁଞ୍ଜୁରୁପଡି ଗ୍ରାମ ଦୁଇ ପାଖରେ ନଦୀ ରହିଛି ଲୋକେ ବର୍ଷା ଦିନରେ ଜଳବନ୍ଦୀରେ ରହୁଛନ୍ତି । ନଦୀ ଉପରେ ସେତୁ ନିର୍ମାଣ ହେଲେ ଗ୍ରାମବାସୀ ଉପକୃତ ହେବେ ବୋଲି କହିଛନ୍ତି ।





