ସ୍ଥଗିତ ରହିଲା ଅଗଷ୍ଟ ୧ ରୁପ୍ରାରୋଡର ରେଳରୋକ ଆନ୍ଦୋଳନ

ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ କୁ ଏକ୍ସପ୍ରେସ ରେଳ ରହଣୀ ନେଇ ପ୍ରତିଶୃତି ଦେଲେ ଇଷ୍ଟକୋଷ୍ଟ ଜିଏମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସଂଘ ଆସନ୍ତା ଅଗଷ୍ଟ ୧ ରେ ପୁଣିଥରେ ରୁପ୍ରାରୋଡ ରେଳ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିବ ବୋଲି ନିଷ୍ପତି ନେଇଥିଲା। ଏନେଇ ଜୁଲାଇ ୨୨ ରେ ଚୁଡାନ୍ତ ମିଟିଂ ମଧ୍ୟ ଅନୁଷ୍ଠିତ ହୋଇ ସାରିଥିଲା। ୫ ହଜାର ଲୋକଙ୍କୁ ନେଇ ଏଥର ରୁପ୍ରାରୋଡ ଷ୍ଟେସନ ରେ ଆନ୍ଦୋଳନ ପାଇଁ ସଂଘ ଯୋରଦାର ପ୍ରସ୍ତୁତି କରୁଥିବା ଖବର ପାଇ ରେଳବାଇ ବିଭାଗ ଇଷ୍ଟକୋଷ୍ଟ ଜିଏମ ପରମେଶ୍ୱର ଫଙ୍କୱାଲ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘକୁ ୨୮ ଜୁଲାଇରେ ଆଲୋଚନା ପାଇଁ ଡାକିଥିଲେ। ସଂଘର ସଭାପତି ଦୁର୍ଗାପ୍ରସାଦ ମହାନ୍ତି ଓ ମାରୱାଡି ସମ୍ମେଳନର ସଭାପତି ସୁମିତ କୁମାର ଅଗ୍ରୱାଲ(ସଣ୍ଟୁ)ଙ୍କ ନେତୃତ୍ୱରେ ସଂଘର ବରିଷ୍ଠ ସଦସ୍ୟ ଦିନେସ ଅଗ୍ରୱାଲ, ନୀରଜ ଶର୍ମା, ରାଜେଶ କୁମାର ଦତ୍ତାଙ୍କ ସମେତ ଏକ ୧୫ ଜଣିଆ କର୍ମକର୍ତ୍ତା ଦଳ ଆଜି ମଙ୍ଗଳବାର ଦିବା ୧୨ ଘଣ୍ଟା ସମୟରେ ଜିଏମ ଙ୍କୁ ସାକ୍ଷାତ କରି ରୁପ୍ରାରୋଡ ରେ ରେଳବାଇ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ୫୦ ମିନିଟ ରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଥିଲେ। ବିଶେଷ ନେତୃତ୍ୱ ଭାବରେ ଏହି ୧୫ ଜଣିଆ ଡେଲିଗେସନ ସହ ନର୍ଲା ବିଧାୟୀକା ମନୋରମା ମହାନ୍ତି ମଧ୍ୟ ଜିଏମଙ୍କ ସହ ଏକ୍ସପ୍ରେସ ଟ୍ରେନ ଗୁଡିକର ପୁନଃ ରହଣୀ ବିଷୟରେ ଆଲୋଚନା କରିଥିଲେ। ଏଥିରେ ରୁପ୍ରାରୋଡ ଲେବୁଲ କ୍ରସିଂ ଠାରେ ଓଭର ବ୍ରୀଜ ନିର୍ମାଣ, ଦାବୀ ରହିଥିବା ବିଶାଖାପାଟନମ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସମେତ କରୋନା ପୂର୍ବରୁ ରହଣୀ ରହିଥିବା ସମସ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ଗୋଟିଏ ମାସ ମଧ୍ୟରେ ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେବା ସହ ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ ଜିଏମ ଶ୍ରୀ ଫଙ୍କୱାଲ। ଏହି ଆଲୋଚନା ସମୟରେ ବିଭାଗୀୟ ସମସ୍ତ ସେକ୍ସନ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ମହାମାରୀ କରୋନା ପୂର୍ବରୁ ଅନେକ ଏକ୍ସପ୍ରେସ ଟ୍ରେନ ର ରହଣୀ ରହିଥିଲା ରୁପ୍ରାରୋଡ ଓ ନର୍ଲାରୋଡ ରେଳ ଷ୍ଟେସନରେ। କରୋନା ପରେ ପରେ ସମସ୍ତ ଏକ୍ସପ୍ରେନ ଟ୍ରେନ ଗୁଡିକର ରହଣୀ ବାତିଲ ହୋଇଗଲା। ସଂଘ ଏନେଇ ରେଳବାଇ ର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ପାଖକୁ ଅନେକ ଥର ଲେଖି ଜଣାଇଲେ ମଧ୍ୟ କିଛି ସୁଫଳ ମିଳିନା ନାହିଁ। ଫଳରେ ରୁପ୍ରାରୋଡ ରେଳ ଷ୍ଟେସନରେ ଗତ ୧୦ ଅପ୍ରେଲ ୨୦୨୨ ରେ ଏକ ବଡ ଧରଣର ରେଳରୋକ ଆନ୍ଦୋଳନ ହୋଇଥିଲା। ୨,୦୦୦ ରୁ ଉର୍ଦ୍ଧ୍ବ ଲୋକ ଏଥିରେ ସାମିଲ ହୋଇଥିଲେ। ଫଳ ସ୍ୱରୂପ କୋରବା, ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ରହିଥିଲା। ଗତ ଜୁଲାଇ ୧ ରେ ନର୍ଲାରୋଡ ରେଳ ଷ୍ଟେସନରେ ୨,୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ରେଳରୋକ ଆନ୍ଦୋଳନ କରିଥିଲା ନର୍ଲା ସ୍ୱାଭିମାନ ମଞ୍ଚ। ଅଗଷ୍ଟ ୧ ରେ ରୁପ୍ରାରୋଡରେ ପୁଣି ରେଳରୋକ ଆନ୍ଦୋଳନକୁ ନେଇ ଆଗତୁରା ସତର୍କ ହୋଇ ଆଜି ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘକୁ ଡାକି ଇଷ୍ଟକୋଷ୍ଟ ଜିଏମ ଲିଖିତ ପ୍ରତିଶୃତି ଦେଇଥିବାରୁ ରେଳରୋକକୁ ସ୍ଥଗିତ ରଖାଯାଇଥିବା ସଂଘର ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.