ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗତ ଦୁଇ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବସ୍ତା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ବ୍ୟାପକ ଫସଲ କ୍ଷତି ଘଟିଥିବା ବେଳେ ପଳପଳା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ବ୍ଲକର ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ ଦୁନ୍ଦ ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଦେଇ ବନ୍ୟାଜଳ ପ୍ରବେଶ କରି ଦୁନ୍ଦ, କୁସିଦା, ମୁକୁଳିସି ଓ ଛଚିନା ଅଞ୍ଚଳର ବହୁ ଚାଷଜମିକୁ ଜଳମଗ୍ନ କରିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖବର ପାଇ ବସ୍ତା ବିଧାୟିକା ସୁବାସିନୀ ଜେନା ତୁରନ୍ତ ପ୍ରଭାବିତ ଅଞ୍ଚଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ସେ ଦୁନ୍ଦ ଓ ଛଚିନା ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକ ଓ ଚାଷୀମାନଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ପରିଦର୍ଶନ ସମୟରେ ବିଧାୟିକା ଘାଇର ଶୀଘ୍ର ମରାମତି ସହ ପ୍ରଭାବିତ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ବିଦ୍ୟୁତ୍ଜନିତ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଯେଉଁଠାରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି, ସେଠାରେ ଶୀଘ୍ର ସେବା ସ୍ୱାଭାବିକ କରିବାକୁ ସେ ବିଦ୍ୟୁତ୍ ବିଭାଗକୁ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀମତୀ ଜେନା ବାଲିଆପାଳ ବ୍ଲକର କୋଷ୍ଟ କେନାଲ ନିକଟରେ ପହଞ୍ଚି ଷୋଳଶାପାଣ୍ଠ ଅଞ୍ଚଳରେ ଜମି ରହିଥିବା ଉଦ୍ବୃତ୍ତ ଜଳର ନିଷ୍କାସନ ବ୍ୟବସ୍ଥା ନେଇ ଡ୍ରେନେଜ୍, ପିଡବ୍ଲ୍ୟୁଡି ଏବଂ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଷୋଳଶାପାଣ୍ଠ ଅଞ୍ଚଳର ଦୀର୍ଘଦିନର ଜଳନିଷ୍କାସନ ସମସ୍ୟା ସମାଧାନ ପାଇଁ ସେ ପୂର୍ବରୁ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ ଏବଂ ତାଙ୍କ ଉଦ୍ୟମରେ କଚୁଆ, ଗଢ଼ଖାଳ ଓ ଆମ୍ବଚୁଆ ନାଳର ଖନନ କାର୍ଯ୍ୟ ସମ୍ପନ୍ନ ହୋଇଛି। ତଥାପି ଅଞ୍ଚଳରେ ଅଧିକ ପରିମାଣର ଜଳ ଜମି ରହୁଥିବାରୁ କୋଷ୍ଟ କେନାଲରେ ଅଧିକ ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ସେ ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଆଜିର ଏହି ପରିଦର୍ଶନରେ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା, ନିଶାକର ସେଠୀ, ବରିଷ୍ଠ ନେତା ଲକ୍ଷ୍ମୀଧର ଦାସ, ପ୍ରଦୀପ ବିଶ୍ୱାଳ, ଗୋବିନ୍ଦ ପ୍ରସାଦ ଦାସ, ଅଜୟ ପାତ୍ର, ରଞ୍ଜନ ଧଳ, ସୁଧାଂଶୁ ବାରିକ, ଚିନ୍ମୟ ପାଳ, କମଲ ଲୋଚନ ଦତ୍ତ, ସାର୍ଥକ ରଞ୍ଜିତ, ପ୍ରଦୀପ ନାୟକ ଓ ଶ୍ରୀଧର ଡାକୁଆଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ଏବଂ ଚାଷୀମାନେ ଉପସ୍ଥିତ ଥିଲେ।





