ଓଡ଼ିଆ ବାର୍ତ୍ତା/ ଜୟପୁର: ସ୍ଥାନୀୟ ସଙ୍ଗମ କଲ୍ୟାଣ ଠାରେ, ଜୟପୁର କାଳୀକୃଷ୍ଣ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପୂଜନ କରାଯାଇଥିଲା। ପରେ ପରେ ସଂଘ ପରିଚାଳକ ଜଗଦାନନ୍ଦଜୀ ମହାରାଜଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଉପସ୍ଥିତ ଶିଷ୍ୟ ଶିଷ୍ୟମାନଙ୍କୁ ଆଶିର୍ବାଦ ପ୍ରଦାନ କରି ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ମହାରାଜ କହିଥିଲେ: “ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ। ଗୁରୁ କେବଳ ଶିକ୍ଷାଦାତା ନୁହଁନ୍ତି, ସେ ଜଣେ ପଥପ୍ରଦର୍ଶକ, ଚରିତ୍ର ଗଠନକାରୀ ଏବଂ ଜୀବନର ସଠିକ୍ ଦିଗ ଦେଖାଉଥିବା ମହାନ ବ୍ୟକ୍ତିତ୍ୱ। ଗୁରୁଙ୍କ ପ୍ରତି କୃତଜ୍ଞତା, ଶ୍ରଦ୍ଧା ଓ ସମ୍ମାନ ପ୍ରକାଶ କରିବା ପାଇଁ ପ୍ରତିବର୍ଷ ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିନକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ, କାରଣ ଏହି ଦିନରେ ମହର୍ଷି ବେଦବ୍ୟାସଙ୍କ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ। ଗୁରୁଙ୍କ ଶିକ୍ଷା ମଣିଷକୁ ସତ୍ୟ, ନ୍ୟାୟ ଓ ମାନବିକତାର ପଥରେ ପରିଚାଳିତ କରେ।ଆଜିର ବୈଜ୍ଞାନିକ ଓ ଡିଜିଟାଲ ଯୁଗରେ ସୂଚନାର ଅଭାବ ନାହିଁ, କିନ୍ତୁ ସଠିକ୍ ଜ୍ଞାନ ଓ ମୂଲ୍ୟବୋଧର ଶିକ୍ଷା ଦେବା ପାଇଁ ଗୁରୁଙ୍କ ଆବଶ୍ୟକତା ପୂର୍ବଭଳି ରହିଛି। ଇଣ୍ଟରନେଟ ଅନେକ ତଥ୍ୟ ଦେଇପାରେ, କିନ୍ତୁ ଜୀବନର ସଠିକ୍ ନିଷ୍ପତ୍ତି, ନୈତିକତା ଓ ଚରିତ୍ର ଗଠନ ପାଇଁ ଜଣେ ସୁଯୋଗ୍ୟ ଗୁରୁଙ୍କ ମାର୍ଗଦର୍ଶନ ଅତ୍ୟନ୍ତ ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି, କୋରୋପୁଟ, ମାଲକାନଗିରି, ନବରଙ୍ଗପୁର ଓ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରୁ ଅନେକ ଶିଷ୍ୟ ଶିଷ୍ୟା ଉପସ୍ଥିତ ରହି ଶ୍ରୀଗୁରୁ ପ୍ରତି ଶ୍ରଦ୍ଧା, ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜୟପୁରର ଭାଇ, ଭଉଣୀମାନେ ସହଯୋଗ କରିଥିଲେ।






