ସୋନପୁର,୬/୯ : ଟ୍ରାଫିକ ନିୟମ କଡ଼ା କଡ଼ି ହୋଇଛି । ନିୟମ ପାଳନ ନକଲେ ଜରିମାନା ଅର୍ଥକୁ ବଢାଇ ଦିଆଯାଇଛି । ସାରା ଦେଶରେ ଗୋଟିଏ ନିୟମ କରାଯାଇଥିବା ବେଳେ ସୁବର୍ଣ୍ଣପୁରରେ ମଧ୍ୟ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପୁଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଧରପଗଡ । ତେଣୁ ଲୋକେ ହେଲମେଟ ବ୍ୟବହାର କରିବାଠାରୁ ଗାଡି କାଗଜପତ୍ର, ଲାଇସେନ୍ସ, ଇନସୁରାନ୍ସ ଆଦି ନିଜ ପାଖରେ ରଖୁଥିବା ଦେଖିବାକୁ ମିଳୁଛି । କିନ୍ତୁ ସୁବର୍ଣ୍ଣପୁର ସହରରେ ଟ୍ରାଫିକକୁ ନେଇ ବ୍ୟାପକ ସମସ୍ୟା ରହିଛି । ସହରର ବିଭିନ୍ନ ଛକରେ ନା ଅଛି ସିସି ଟିଭି କ୍ୟାମେରା ନା ଟ୍ରାଫିକ ନିୟନ୍ତ୍ରଣ ପାଇଁ ସିଗ୍ନାଲ ବ୍ୟବସ୍ଥା କରାଯାଇଛି । ସହରର ସୁରକ୍ଷା ଓ ଗାଡି ଚାଳକଙ୍କୁ ଠିକ ଭାବେ ପରିଚାଳିତ କରିବା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ତେବେ ନୂଆ ନିୟମ ପରେ ଛନକା ପଶିଛି ଲୋକଙ୍କ ମଧ୍ୟରେ । ହଜାର ହଜାର ଟଙ୍କାର ଜରିମାନା ଗଣିବା ପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ବସ୍ ସେବାକୁ ନେଇ । ସୁବର୍ଣ୍ଣପୁର ସହରରୁ ଜିଲାର ବିଭିନ୍ନ ସ୍ଥାନକୁ ତଥା ଜିଲା ବାହାରକୁ ପଚାଶରୁ ଊର୍ଦ୍ଧ ବସ୍ ଚଳାଚଳ କରୁଛି । କିଛି ବସ ପାର୍କିଙ୍ଗ ଜାଗାରେ ନ ଅଟକାଇ ରାସ୍ତା ମଝିରେ ଯେଉଁଠି ନାଇଁ ସେଠି ଅଟକାଇ ପେସେଞ୍ଜର ଚଢାଉଛନ୍ତି । ଫଳରେ ରାସ୍ତା ଜାମର ଅସୁବିଧା ହେଉଥିବା ବେଲେ ସଂପୃକ୍ତ ବିଭାଗ ଏସଂପର୍କରେ ଆଖି ବୁଜି ଦେଇଛି । କେବଳ ସଡକ ସୁରକ୍ଷା ସମୟରେ ସଚେତନତା କାର୍ଯ୍ୟକ୍ରମ କରିଦେଇ ହାତ ଝାଡି ବସୁଛି ବିଭାଗ । ଏବେ ନୂଆ ନିୟମ କରାଯିବା ପରେ ଆର୍ଟିଓ ବିଭାଗ କି ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି । କେବଳ ବସ୍ ସେବା ନୁହେଁ, ସହରରେ ବେଆଇନ ପାର୍କିଂ ଏକ ଗୁରୁତର ସମସ୍ୟା । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବେଆଇନ ଭାବେ ଟ୍ରକ ପାର୍କିଂ କରାଯାଉଛି । ଦିନ ଦିନ ଧରି ଅନେକ ଜାନବାହାନ ଗୁଡ଼ିକ ବେଆଇନ ଭାବେ ଛିଡ଼ା ହୋଇ ରହୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏଥିସହିତ ବ୍ୟସ୍ତବହୁଳ, ବସଷ୍ଟଣ୍ଡ,ନଳିନିଛକ, ଡେଲିମାର୍କେଟ, ବ୍ଲକଛକ ଠାରୁ ଆମ୍ବେଦକର ଛକ ରାସ୍ତାରେ ଅନେକ ଯାନବାହାନ ଯାତାୟତ କରୁଥିବା ବେଳେ ଅନେକ ସମୟରେ ମାର୍କେଟ ଯୋଗୁ ରାସ୍ତା ଉପରେ ପାର୍କିଙ୍ଗ ଲାଗି ରହୁଛି । ତେଣୁ ଅନେକ ସମୟରେ ସମସ୍ୟା ଦେଖାଦେଉଛି । ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।