ଓଡିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲାରେ ପୁଣି ଥରେ ଅବୈଧ ପେଣ୍ଟାଜୋସିନ୍ (Pentazocine) ଇଞ୍ଜେକ୍ସନ କାରବାରର ଘଟଣା ସାମ୍ନାକୁ ଆସିଛି। ସେମିଳିଗୁଡ଼ା ପୋଲିସ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଏହି କାରବାରର ପର୍ଦ୍ଦାଫାଶ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ସେମିଳିଗୁଡ଼ା ଥାନା ଅନ୍ତର୍ଗତ ଗେରୁଗୁଡ଼ାସ୍ଥିତ ଭୈରବୀ ମନ୍ଦିର ନିକଟରେ ଅବୈଧ ଭାବେ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ ବିକ୍ରି ହେଉଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୪୫୩ଟି ପେଣ୍ଟାଜୋସିନ୍ ଇଞ୍ଜେକ୍ସନ ଆମ୍ପୁଲ୍, ଗୋଟିଏ ଟ୍ରାଭେରା କାର, ୪ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୭,୫୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ସୁମିତ୍ରା ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ପେଣ୍ଟାଜୋସିନ୍ ଏକ ନିୟନ୍ତ୍ରିତ ବେଦନାନାଶକ ଔଷଧ। ଏହାର ଅବୈଧ ବ୍ୟବହାର ଏବଂ କାରବାର ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ, ବିଶେଷକରି ଯୁବପିଢ଼ିଙ୍କୁ ନିଶା ଆଡ଼କୁ ଟାଣିନେବାର ଆଶଙ୍କାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି। ଏଭଳି ଅବୈଧ କାରବାରକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।






