ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ନଗରରେ ଦୁଇଟି ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱଦେଶୀ ସଂକଳ୍ପ ନେଲେ ଶତାଧିକ ଛାତ୍ରଛାତ୍ରୀ। ସ୍ୱଦେଶୀ ଆଧାରରେ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଅଗଷ୍ଟ ୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଡିଜିଟାଲ ସମ୍ପର୍କ ଅଭିଯାନ “ମୁଁ ବି ସ୍ୱଦେଶୀ ସମର୍ଥକ” ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୬. ୩୦ ସମୟରେ ସ୍ଥାନୀୟ ଇ – ଦୋସ୍ତି ଅନୁଷ୍ଠାନରେ ପ୍ରତିଷ୍ଠାତା ତଥା ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଦକୁଆଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱଦେଶୀ ସମର୍ଥକ ଭାବରେ ସଂକଳ୍ପ ନେଇଥିଲେ।ଏହି ଅବସରରେ ଶ୍ରୀ ଡାକୁଆ ନିଜର ଦୈନନ୍ଦିନ ଜୀବନରେ ସ୍ୱଦେଶୀ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ ଓ ଏହି ଅଭିଯାନକୁ ଜିଲ୍ଲାର ଲକ୍ଷାଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇ ଏଥିରେ ଜିଲ୍ଲାର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସମୂହଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସନ୍ଧ୍ୟା ୫.୧୫ ସମୟରେ ସ୍ଥାନୀୟ ଶାସ୍ତ୍ରୀଜୀ ମହିଳା ବିଦ୍ୟାନିକେତନ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚର ଜିଲ୍ଲା ସଂଯୋଜକ ଅଧ୍ୟକ୍ଷତାରେ ଶତାଧିକ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସ୍ୱଦେଶୀ ସଂକଳ୍ପ ନେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚର ପ୍ରାନ୍ତୀୟ ସଦସ୍ୟ କୈଶବ ବିହାରୀ, ବିଭାଗ ସଂଯୋଜକ ନକୁଳ ନାୟକ ଓ ସଂଯୋଜକ ପି. ଉମାଶଙ୍କର ଆଚାରୀ ଯୋଗଦେଇ ଦୈନନ୍ଦିନ ଜୀବନରେ ସ୍ୱଦେଶୀ ବ୍ୟବହାର ପାଇଁ ଆହ୍ୱାନ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ।





