ପେଟ୍ରୋଲିଙ୍ଗ ଯାଉଥିବା ବେଳେ ବକଟପୁର ନିକଟରେ ଅଘଟଣ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନେଷ୍ଟବଲ ଭବାନୀ ଶଙ୍କର ସା (୩୪)ଙ୍କ ବାଇକ ଦୁର୍ଘଟଣାରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ବାସିନ୍ଦା ଭବାନୀ ଶଙ୍କର ସା ଶନିବାର ରାତି ପ୍ରାୟ ୯ଟା ସମୟରେ ବାଇକ ଯୋଗେ ପେଟ୍ରୋଲିଙ୍ଗ ପାଇଁ ଯାଉଥିଲେ। ଏହି ସମୟରେ ବକଟପୁର ନିକଟରେ ତାଙ୍କ ବାଇକ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ରାତି ହୋଇଯାଇଥିବାରୁ ଶନିବାର ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ରବିବାର ସକାଳେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ବିଶ୍ୱନାଥପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ରବିବାର ସକାଳେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଭବାନୀ ଶଙ୍କର ସା କିଛି ଦିନ ତଳେ ପୁରୀରୁ ରଥଯାତ୍ରା ଡିଉଟି ସାରି ଫେରିଥିଲେ ଏବଂ ଶନିବାର ରାତିରେ ପେଟ୍ରୋଲିଙ୍ଗ ଡିଉଟିରେ ଯାଇଥିଲେ।





