ତୁର୍କେଲରୁ ଭବାନୀପାଟଣା ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ-୧୬ର ତେଳନଦୀ ଉପରେ ଥିବା ତୁର୍କେଲ ପୋଲର ମରାମତି ଓ ଯାତାୟାତ ସ୍ୱାଭାବିକ କରିବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ତୁର୍କେଲରୁ ଭବାନୀପାଟଣା ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଦୀର୍ଘ ଦିନ ଧରି ବ୍ରିଜ ସମସ୍ୟାର ସମାଧାନ ନହେବା ଏବଂ ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ କଂଗ୍ରେସ ଏହି ପଦଯାତ୍ରାର ଆୟୋଜନ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ତୁର୍କେଲ ବ୍ରିଜ ନିର୍ମାଣ ଦାବିରେ କଂଗ୍ରେସ ପକ୍ଷରୁ ଦିର୍ଘ ୧୦୦ ଦିନ ଧରି ଅହୋରାତ୍ର ଧାରଣା ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନଥିବାରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯାଇଛି।
ଏହି ପଦଯାତ୍ରାରେ ସଦର ବିଧାୟକ ସାଗର ଚରଣ ଦାସଙ୍କ ସମେତ କଂଗ୍ରେସର ବହୁ ନେତା, କର୍ମୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ପଦଯାତ୍ରା ଭବାନୀପାଟଣାରେ ପହଞ୍ଚିବା ପରେ କୃଷି ମହାବିଦ୍ୟାଳୟ ଠାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏବଂ ବ୍ରିଜ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ରାସ୍ତା କେବଳ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ନୁହେଁ, ବରଂ ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନ, ବ୍ୟବସାୟ, ଚାଷବାସ, ଶିକ୍ଷା ଓ ଜରୁରୀ ସ୍ୱାସ୍ଥ୍ୟସେବା ଏହି ବ୍ରିଜ ଉପରେ ନିର୍ଭରଶୀଳ।

ହେଲେ ୨୦୨୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ତୁର୍କେଲ ବ୍ରିଜ କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ପୂର୍ତ୍ତ ବିଭାଗ ପୋଲ ଉପରେ ଯାତାୟାତକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା। ସେବେଠାରୁ ସ୍ଥାନୀୟ ଲୋକେ ବିକଳ୍ପ ରାସ୍ତା ବ୍ୟବହାର କରି ଦୀର୍ଘ ଦୂରତା ଅତିକ୍ରମ କରିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଆନ୍ଦୋଳନ ପରେ ରାଜ୍ୟ ସରକାର ଗତ ମେ’ ମାସରେ ବ୍ରିଜ ମରାମତି ପାଇଁ ପ୍ରାୟ ୧୬ କୋଟି ୭୫ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। କିନ୍ତୁ ଟେଣ୍ଡର ପ୍ରକ୍ରିୟା ବାରମ୍ବାର ଘୁଞ୍ଚାଯାଉଥିବାରୁ କାମ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଯାତାୟାତ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି। ବ୍ରିଜ ମରାମତି କାର୍ଯ୍ୟରେ ଆଉ ବିଳମ୍ବ ନ କରି ତୁରନ୍ତ କାମ ଆରମ୍ଭ କରିବାକୁ ଲୋକେ ଦାବି କରିଛନ୍ତି।





