ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଭାଗୃହ ଠାରେ ୮୦ ତମ ବ୍ଳକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଗୁରୁବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଧାୟକ ପ୍ରତିନିଧି ଭାବେ ତ୍ରିନାଥ ଶବର, ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ, ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ଏବିଓଇ ତୋଫାନ ମାଝୀ, ସଞ୍ଜୀବ କୁମାର ପାଢ଼ୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଭୋର ୪ ଟାରେ ପ୍ରଭାତ ଫେରି, ସକାଳ ୮ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ ଅନୁଷ୍ଠାନରେ ପତାକା ଉତ୍ତୋଳନ କରାଯିବ। ସକାଳ ୯.୧୫ ରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଗୁଡ଼ହାଣ୍ଡି ମଞ୍ଚରେ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ, ପରେଡ଼ ପ୍ରଦର୍ଶନ, ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରସ୍ତୁତି ବୈଠକରେ କୋକସରା ଗ୍ରାମର ସଚେତନ ନାଗରିକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ବେଛାସେବୀ ଅନୁଷ୍ଠାନ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ପରିଚାଳନା କରିଥିଲେ।





