ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଈଶାଣୀବ୍ରହ୍ମପୁର ଗ୍ରାମଠାରେ ‘ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନ’ର ତୃତୀୟ ଜନ୍ମ ବାର୍ଷିକୋତ୍ସବ ଏବଂ ‘ରାଧା ମାଧବ ସଙ୍ଗୀତ ବିଦ୍ୟାଳୟ’ର ଶୁଭାରମ୍ଭ ଗତ ଶନିବାର ଦିନ ବେଶ୍ ଧୂମଧାମ ସହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି, ଶିକ୍ଷାବିତ୍ ଶ୍ରୀଯୁକ୍ତ ଧରଣୀଧର ସେଠିଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍, ସ୍ତମ୍ଭକାର, ଲେଖକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ,ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠି, ସମ୍ମାନିତ ଅତିଥି ଭାବେ ସଫଳ ମହିଳା ଉଦ୍ୟୋଗୀ ମାନସୀ ଓଝା, ତବଲିଷ୍ଟ ଗୁରୁ କାନ୍ତି ବେହେରା ପ୍ରମୁଖ ଯୋଗଦେଇଥିଲେ। ସଭାରାରମ୍ଭରେ ଅନୁଷ୍ଠାନର ଛାତ୍ରୀ ଶୁଭଲଷ୍ମୀ ହୋତା, ଅନୁଷ୍କା ମଲ୍ଲିକ, ଦୀପିକା ଦତ୍ତ, ବର୍ଷା ପ୍ରିୟଦର୍ଶିନୀ ସେଠି ଓ ମାମା ଭୋଇ ପ୍ରମୁଖ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଅତିଥିମାନେ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ପାୟଲ ପ୍ରିୟଦର୍ଶିନୀ ଭୋଇଙ୍କ ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନମୁଗ୍ଧ କରିଥିଲା। ଅନୁଷ୍ଠାନର ସଭାପତି ଶ୍ରୀ ସେଠି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ, ଏବେ ଶିକ୍ଷା ଅନୁଷ୍ଠାନ ସହ ସ୍ୱଳ୍ପ ମୂଲ୍ୟରେ ସଙ୍ଗୀତ, ନୃତ୍ୟ, ଅଭିନୟ ଏବଂ ବିଭିନ୍ନ କଳାତ୍ମକ ଶିକ୍ଷା ପିଲାମାନଙ୍କୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ଶିକ୍ଷକ ନିରଞ୍ଜନ ପଣ୍ଡା, କେଶବ ବେହେରା, ଜଗନ୍ନାଥ ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠି, ନୃସିଂହ ପାଣି, ରାଜେଶ ମହାରଣା, ସୂର୍ଯ୍ୟକାନ୍ତ ଦାଶ, ଜଗଦୀଶ ରାଉତ ଏବଂ ଶିକ୍ଷୟତ୍ରୀ ସ୍ଵାତି ସ୍ଵାଗତିକା ସ୍ୱାଇଁ, ମଧୁସ୍ମିତା ପଣ୍ଡା, ଆଶ୍ୱାସିନୀ ସେଠି, ଇତିଶ୍ରୀ ସେଠୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଲଷ୍ମୀପ୍ରିୟା ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।





