ରାଲିରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ପାଚିକା
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଏମ୍ଡିଏମ୍ ରୋଷେଇ କରୁଥିବା ପାଚିକାମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବି ପୂରଣ ଦାବିରେ କୋରାପୁଟ ଜିଲ୍ଲା ପାଚିକା ସଂଘ ପକ୍ଷରୁ ଆଜି ରାଲି କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପାଚିକାମାନେ ଏକତ୍ରିତ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକରୁ ରାଲିରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିଖିଲ ଓଡ଼ିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘ, ଏଆଇଟିୟୁସି ସହ ବାନ୍ଧିତ, ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ପାଚିକାମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବି ସରକାରଙ୍କ ନିକଟରେ ରଖାଯାଇ ଆସୁଛି। ଏଥିମଧ୍ୟରୁ ଦୁଇଟି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନଥିବା ସଂଘ ଅଭିଯୋଗ କରିଛି।
ସଂଘର ମୁଖ୍ୟ ଦାବି ହେଉଛି, ପ୍ରତି ମାସର ପ୍ରଥମ ସପ୍ତାହ ମଧ୍ୟରେ ଦରମା ପ୍ରଦାନ କରାଯାଉ। ସେହିପରି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଏମ୍ଡିଏମ୍ ରୋଷେଇ କରୁଥିବା ପାଚିକାମାନଙ୍କର ଅବସର ବୟସ ସୀମା ୬୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ପାଚିକାମାନେ ପ୍ରତିଦିନ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଏକ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଆସୁଛନ୍ତି। ତେଣୁ ସେମାନଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବା ସହିତ ୬୦ ବର୍ଷ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ଦେବାକୁ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।





