ମଗଧା ଯାଦବ ସଂସ୍କୃତିର ଅନନ୍ୟ ନିଦର୍ଶନ ‘ଜୁରା ବନ୍ଦା’: ଉଦ୍ଭାସିତ ହେଲା ପ୍ରାଚୀନ କୃଷି ପରମ୍ପରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦରଠାରେ ଦେଖିବାକୁ ମିଳିଛି ମଗଧା ଯାଦବ ସଂସ୍କୃତିର ଏକ ଅନନ୍ୟ ପରମ୍ପରା ‘ଜୁରା ବନ୍ଦା’। ବୁଢୀପଦରର ଧଙ୍ଗଡାମାଝୀ କରୁଆଁ ପରିବାର ଏହି କୃଷି ପରମ୍ପରାକୁ ପୁରୁଷାନୁକ୍ରମେ ପାଳନ କରି ଆସୁଛନ୍ତି। କୃଷି କ୍ଷେତ୍ରରେ ତଳିରୋପଣର ଶେଷ ଦିନରେ ପାଳିତ ହୋଇଥାଏ ଜୁରା ବନ୍ଦା ବିଧି। ଏହା ପରିବାରର ଜ୍ୟୋଷ୍ଠ ବୋହୁଙ୍କ ଦ୍ବାରା ସଂପାଦିତ ହୋଇଥାଏ। ଜମିରେ ଶ୍ରମିକମାନେ ତଳି ରୋପଣ କରି ସାରିବାର ଶେଷ ସମୟରେ ଘରର ବଡ଼ ବୋହୁ ପରିବାର ସହ ଜମିରେ ପହଞ୍ଚି ପୂର୍ବ ଦିଗକୁ ମୁହଁ କରି ଦୁଇଟି ତଳି ବିଡାକୁ ପାଖାପାଖି ରଖି ଖିର, ଅରୁଆ ଚାଉଳ, ହଳଦୀ ଓ ଫୁଲ ଦେଇ ବନ୍ଦାପନା କରିଥାନ୍ତି। ବନ୍ଦାପନା କରାଯାଉଥିବା ତଳି ବିଡା ମଗଧା ଯାଦବଙ୍କ ଇଷ୍ଟଦେବତା କଣାଭୈରୋ ଓ ମାଲଛମାଁଙ୍କ ପ୍ରତୀକ ରୂପେ ପୂଜା ପାଇଥାନ୍ତି। ଏହି ଦୁଇଟି ତଳି ବିଡାକୁ ବନ୍ଦାଇବା ପରେ ରୋପଣ କରିଥାନ୍ତି ବଡ଼ ବହୁ। ଏହା ପରେ ସେ ନିଜ ସ୍ବାମୀଙ୍କୁ ହଳଦୀ ଲଗାଇ ଥାନ୍ତି, ସେଠାରେ ଉପସ୍ଥିତ ଥିବା ମହିଳାମାନେ ମଧ୍ୟ ହଳଦୀ ଖେଳିଥାନ୍ତି। ହଳଦୀ ଖେଳ ପରେ କ୍ଷେତ୍ର ପରିକ୍ରମା କରା ଯାଇଥାଏ। କ୍ଷେତ୍ର ପରିକ୍ରମା କରିବା ଫଳରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ, ଯାହା ବିଜ୍ଞାନ ସମ୍ମତ। ଏହାଛଡ଼ା ବଡ ବୋହୂ ଘର ଓ ବାହାରର ସମସ୍ତ ଦାଇତ୍ୱ ଗ୍ରହଣ କରିବାକୁ କିପରି ସକ୍ଷମ ହୋଇପାରିବ ତାହା ଏହି ପର୍ବ ପାଳନର ପଶ୍ଚାତଭାଗରେ ଅନ୍ତର୍ନିହିତ ହୋଇ ରହିଥାଏ। ତେବେ ଜୁରା ବନ୍ଦା ନିତି ସଂପନ୍ନ ହେବା ପରେ ଦେବୀ ମାଲଛମାଙ୍କୁ କୃଷି କ୍ଷେତ୍ରର ଦାଇତ୍ୱ ଅର୍ପଣ କରି ଘରକୁ ଫେରିଥାଏ ଜ୍ୟୋଷ୍ଠ ବୋହୁ। ଏହିଦିନ ଘରେ ଅସ୍ତ୍ରଶସ୍ତ୍ର ପୂଜା ହୋଇଥାଏ ଏବଂ ହଳିଆ ତୁଳିଆ ଓ ଶ୍ରମିକମାନଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିଥାନ୍ତି ଗୃହସ୍ବାମୀ। ପୂର୍ବେ ମଗଧା ଯାଦବମାନେ ରାଜ୍ୟ ରକ୍ଷା ସହ କୃଷି କର୍ମ କରୁଥିଲେ। ଜୁରା ବନ୍ଦା ପରେ ହରାଲି ଉଆଁସ ଦିନ କୃଷି କ୍ଷେତ୍ରରେ ବିଜୟର ପ୍ରତିକ ଭାବେ ସେମାନେ କେନ୍ଦୁ ଶାଖା ସ୍ଥାପନ କରୁଥିଲେ। ଏହା ପରେ ଘରଣୀ ହାତରେ କୃଷିକ୍ଷେତ୍ର ଏବଂ ଘରର ଦାଇତ୍ୱ ଅର୍ପଣ କରି ସମର ଅଭ୍ୟାସ କରିବାକୁ ଆଖଡ଼ାକୁ କିମ୍ବା ସୀମାକୁ ଚାଲି ଯାଉଥିଲେ। ଯାହା ଆଜି ବି ପରମ୍ପରା ଅନୁକ୍ରମେ ଅନୁସୃତ ହୋଇ ଆସୁଛି। ସମୟର ପଟ୍ଟ ପରିବର୍ତ୍ତନ ସହ ଚନ୍ଦ୍ରବଂଶୀ ମଗଧା ଯୋଦ୍ଧାମାନେ କୃଷିଜୀବୀ ସମୁଦାୟରେ ରୂପାନ୍ତରିତ ହୋଇଛନ୍ତି। ଜୁରା ବନ୍ଦା ବିଧି ଅତିତର ସେହି ସ୍ମୃତିକୁ ମନେ ପକାଇ ଦେଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.