ଲାଞ୍ଜିଗଡ,୭/୯ : ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ପ୍ରାୟ ଦେଢ କିମି ଖଟିଆରେ ବୁହାହୋଇ ଆସିଲେ ରୋଗୀ । ଘଟଣା ହେଉଛି କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ଟେକରତୋଲା (ପଲସାପଡା) ଗାଁର । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଆଜି(ଶନିବାର) ପଲସାପଡା ଗାଁର ଗୋପାଳ ପୋଢଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା । ଗାଁର ଆଖପାଖରେ କୌଣସି ଉତ୍ତମ ସ୍ବାସ୍ଥ୍ୟ ସୁବିଧା ନଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବାପାଇଁ ସ୍ଥିର କଲେ ପରିବାରବର୍ଗ । ଆମ୍ବୁଲାନ୍ସକୁ ଡକାଗଲା, କିନ୍ତୁ ରାମଚନ୍ଦ୍ରପୁର ଠାରୁ ଆଉ ଆଗକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । କାରଣ ହେଉଛି ରାସ୍ତାର କଦର୍ଯ୍ୟ ଅବସ୍ଥା ।
ଅନ୍ୟୋପାୟ ହୋଇ ଗୋପାଳଙ୍କୁ ଖଟିଆରେ ବୋହି କାଦୁଅ ଲଚପଚ ରାସ୍ତାରେ ଦେଢ କିମି ବୋହି ଆଣିଲେ ସଂପର୍କିୟ । ରାମଚନ୍ଦ୍ରପୁର ଠାରୁ ଆମ୍ବୁଲାନ୍ସରେ ତାଙ୍କୁ ନର୍ଲା ଡାକ୍ତରଖାନାକୁ ନିଆଗଲା । ଗୋପାଳପୁର ଗାଁର ଯୁବ ସମାଜସେବୀ ତଥା ଗୋବର୍ଦ୍ଧନପୁର ପଞ୍ଚାୟତ ବିଜୁ ଯୁବ ବାହିନୀ ସଦସ୍ୟ ସୁଶିଲ କୁମାର ବାଗ ନର୍ଲା ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହ ପରାମର୍ଶ କରିବାପରେ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗୋପାଳ ପୋଢଙ୍କ ଆର୍ଥିକ ପରିସ୍ଥିତି ଠିକ ନଥିବାରୁ ଶ୍ରୀଯୁକ୍ତ ବାଗ ତାଙ୍କ ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଉଠିଲା ବିରାଟ ପ୍ରଶ୍ନବାଚୀ
ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, କାହିଁକି ଏହି ରାସ୍ତାର ଅବସ୍ଥା ଏପରି ହେଲା ? ରାସ୍ତା ନିର୍ମାଣ ନକରି କାହିଁକି ହାତ ବାନ୍ଧି ବସିଛି ସଂପୃକ୍ତ ବିଭାଗ ? ରାସ୍ତା ପାଇଁ ଜନତା ହନ୍ତ ସନ୍ତ ହେଉଥିବାବେଳେ କାହିଁକି ନିଦାବିଷ୍ଣୁ ସାଜିଛି ପ୍ରଶାସନ ? ରାସ୍ତାର ଅବସ୍ଥା ବେହାଲ ପାଇଁ ଦାୟି କିଏ ? ଏପରି ନାନା ପ୍ରଶ୍ନ ଉଙ୍କି ମାରିଛି ସଚେତନ ନାଗରିକଙ୍କ ମନରେ ।
ଠିକାଦାର ଟୁନୁ ଦାଶଙ୍କ ହତ୍ୟା ପରେ ଅଧପନ୍ତରିଆ ହୋଇ ପଡି ରହିଛି ରାସ୍ତା କାମ
ଏଠାରେ ସୂଚନା ଯୋଗ୍ୟଯେ, ରାମଚନ୍ଦ୍ରପୁରରୁ ପଲସାପଡା ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସଂଯୁକ୍ତ ହୋଇ କାମ ଆରମ୍ଭ ହୋଇଥିଲା । ଏହି ରାସ୍ତାର ଠିକା ନେଇଥିଲେ ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟର ଶିବ ଶଙ୍କର ଦାଶ ଓରଫ ଟୁନୁ ଦାଶ । ତେବେ ୨୦୧୮ ମସିହା ଫେବୃଆରୀ ୧୬ ତାରିଖରେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପାଜିବାହାଲି ଠାରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ରାମଚନ୍ଦ୍ରପୁର – ପଲସାପଡା ରାସ୍ତା କାମ ଠପ୍ ହୋଇ ପଡିଛି । ଗାଁ ରାସ୍ତା ଗମନାଗମନ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇପଡିଛି । ଠିକାଦାର ଟୁନୁ ଦାଶଙ୍କ ହତ୍ୟା ପରେ ଏହି କାମ ଅନ୍ୟ କାହାକୁ ଦେଇ ସଂପୂର୍ଣ୍ଣ କରିବା କଥା କିନ୍ତୁ ଦେଢ ବର୍ଷରୁ ଅଧିକା ହେଲା ରାସ୍ତା କାମ ହୋଇ ପାରିଲାନାହିଁ, ଯାହାକୁନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।
ରେଲୱେ ଠିକା କାମରେ ନିୟୋଜିତ ଟ୍ରକ ଯୋଗୁଁ ବେହାଲ ହୋଇଛି ରାସ୍ତାର ଅବସ୍ଥା
ପ୍ରଧାନମନ୍ତ୍ରୀ ରାସ୍ତା କାମ ଅଧପନ୍ତରିଆ ହୋଇ ପଡିଥିବାବେଳେ ଏହି ରାସ୍ତାର ଅବସ୍ଥାକୁ ବେହାଲ କରିଦେଇଛି ରେଲୱେ କାମରେ ନିୟୋଜିତ ଭାରି ଟ୍ରକ । ପଲସାପଡା ଗାଁ ନିକଟରେ ଥିବା ରେଳଧାରଣାର ବ୍ରିଜ ଓ ଅନ୍ୟାନ୍ୟ କନଷ୍ଟ୍ରକସନ କାର୍ଯ୍ୟ ଚାଲିଥିବାରୁ ଲଗାତାର ଭାବେ ଦିର୍ଘଦିନ ଧରି ଟ୍ରକ ଚାଲୁଥିଲା, ଯାହା ରାସ୍ତାର ମାନଚିତ୍ରକୁ ବିଗାଡି ଦେଇଛି । ଏବେ ରାସ୍ତା ବୋଲି ଯାହାକୁ କୁହାଯାଉଛି, ତାହା ଜନତାଙ୍କ ପାଇଁ ମରଣଫାଶ ହୋଇ ଠିଆ ହୋଇଛି ।
ତୁରନ୍ତ ରାସ୍ତା ନିର୍ମାଣ ପାଇଁ ତେଜିଲା ଦାବି
ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବିଭାଗିୟ କତୃପକ୍ଷଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବର୍ଷାଦିନେ ଘରୁ ପାଦ କାଢିବା ଅସମ୍ଭବ ହୋଇଯାଉଛି । ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରସୂତି ମହିଳା, ରୋଗୀ, ବୃଦ୍ଧବୃଦ୍ଧା, ବାହାରକୁ କାମଧନ୍ଦା କରିବାକୁ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇