ରାସ୍ତା ଅଭାବରୁ ଆସିପାରିଲାନି ଆମ୍ବୁଲାନ୍ସ: ୧ କିମି ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତି ମହିଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼କୁ ‘ଶିଳ୍ପ ନଗରୀ’ କୁହାଯାଉଥିଲେ ବି ଗ୍ରାମାଞ୍ଚଳରେ ବିକାଶର ବାସ୍ତବ ଚିତ୍ର ଏବେ ବି ସଂପୂର୍ଣ୍ଣ ସିନ୍ଧୁକୁ ବିନ୍ଦୁ। ଦୁର୍ଗମ ଓ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି ଏହି ଆଦିବାସୀ ବହୁଳ ଅଞ୍ଚଳର ଲୋକେ। ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ବିଜେପୁର ପଞ୍ଚାୟତ ବାତେରପଡ଼ା ଗାଁ ମାଝୀପଡ଼ାର ଧନସିଂ ମାଝୀଙ୍କ ସ୍ତ୍ରୀ ଆଲିଙ୍ଗଦେଇ ମାଝୀ(୩୪) ଙ୍କର ସୋମବାର ବିଳମ୍ବିତ ରାତିରେ ଘରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। କିନ୍ତୁ ପ୍ରସବ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଗାଁର ଆଶାକର୍ମୀ ସତ୍ୟଭାମା ନାଏକ ତୁରନ୍ତ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ କଲ ପାଇବା ପରେ ଆମ୍ବୁଲାନ୍ସ ଯାଇଥିଲା ସତ, କିନ୍ତୁ ପ୍ରବଳ ବର୍ଷା ଓ କାଦୁଅ ରାସ୍ତା ଯୋଗୁଁ ଗାଁକୁ ଯାଇପାରିନାହିଁ ଆଉ ଅଧାବାଟରେ ଅଟକି ରହିଥିଲା।
ଉପାୟ ଶୂନ୍ୟ ହୋଇ ପରିବାର ଲୋକେ, ଆଶାକର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀ ମିଶି ଝିପିଝିପି ବର୍ଷା ମଧ୍ୟରେ ଗୁରୁତର ପ୍ରସୂତି ମହିଳା ଏବଂ ନବଜାତ ଶିଶୁକନ୍ୟାଙ୍କୁ ଷ୍ଟ୍ରେଚରେ ବୋହି ୧ କିମି ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ପରେ ଉଭୟ ନବଜାତ ଶିଶୁ ଓ ପ୍ରସୂତି ମହିଳା ସୁସ୍ଥ ଥିବା ଜଣାଯାଇଛି।

ତେବେ ଲାଞ୍ଜିଗଡ଼ ଉପାନ୍ତ ଅଞ୍ଚଳ ପାଇଁ ଏହି ଘଟଣା ନୂଆଁ ନୁହେଁ ବରଂ ଅନେକ ଥର ଉକ୍ତ ଅଞ୍ଚଳର ଗର୍ଭବତୀ ମହିଳା ବା ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେବା ଚିତ୍ର ସାମ୍ନାକୁ ଆସିଥାଏ। କିନ୍ତୁ ପରିତାପର ବିଷୟ ଏବେ ଯାଏଁ ଉକ୍ତ ଅଞ୍ଚଳର ଚିତ୍ର ବଦଳି ପାରୁନି। ଗାଁକୁ ଯିବା ପାଇଁ ଥିବା ରାସ୍ତା ଅବସ୍ଥା ଏତେ ଦୟନୀୟ ଯେ ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ସମ୍ଭବ ହେଉନାହିଁ। ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟ ନେବା ପାଇଁ ପରିବାର ଲୋକଙ୍କୁ ଅନେକ ସମୟରେ ଖଟିଆ, ଦୋଳି କିମ୍ବା ଅନ୍ୟ ଉପାୟରେ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଜଣେ ଜନୀଙ୍କ ଜୀବନ କେତେ ବିପଦପୂର୍ଣ୍ଣ, ତାହା ସହଜରେ ଅନୁମାନ କରାଯାଇପାରେ।

ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ରହିଛି। ୧୦୨/୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ରହିଛି। କିନ୍ତୁ ରାସ୍ତା ଯଦି ଗାଁ ପର୍ଯ୍ୟନ୍ତ ଯାଇପାରୁନି, ତେବେ ଏହି ସେବାର ସୁଫଳ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେନେଇ ପ୍ରଶ୍ନ ଉଠିଛି। ବାତେରପଡ଼ା ଗାଁର ଲୋକେ ଦୀର୍ଘଦିନ ଧରି ଭଲ ରାସ୍ତା ପାଇଁ ଦାବି କରିଆସୁଥିବା କହିଛନ୍ତି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ବର୍ଷା ଦିନରେ ସ୍ଥିତି ଆହୁରି ଗମ୍ଭୀର ହୋଇପଡୁଥିବା ବେଳେ ଗର୍ଭବତୀ ମହିଳା, ବୃଦ୍ଧ ଓ ଗୁରୁତର ରୋଗୀଙ୍କ ପାଇଁ ଚିକିତ୍ସାଳୟ ପହଞ୍ଚିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।ଗୋଟିଏ ପଟେ ସରକାର ‘ବିକାଶର ଧାରା’ ଓଡିଶା ସାରା କାର୍ଯ୍ୟକ୍ରମ କରି ଡିଣ୍ଡିମ ପିଟାଯାଉଥିବା ବେଳେ, ଅନ୍ୟପଟେ ଜନ୍ମର ପ୍ରଥମ ଦିନରେ ହିଁ ଏକ ନବଜାତ ଏବଂ ଗୁରୁତର ମାଁ ଙ୍କୁ ଷ୍ଟ୍ରେଚରେ ବୋହିବାକୁ ପଡ଼ିବା ପ୍ରଶାସନିକ ଅବହେଳାର ଆଉ ଏକ ଜ୍ୱଳନ୍ତ ଉଦାହରଣ।ଏହି ଘଟଣା ପରେ ବାତେରପଡ଼ା ଗାଁର ମାଝୀପଡ଼ାକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି। ଉପାନ୍ତ ଅଞ୍ଚଳର ଲୋକଙ୍କ ଜୀବନ ସହ ଜଡ଼ିତ ଏହି ସମସ୍ୟାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ତୁରନ୍ତ ରାସ୍ତା ନିର୍ମାଣ ସହ ନିରବଚ୍ଛିନ୍ନ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.