ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ବେଆଇନ୍ ଭାବରେ ୧୫ରୁ ଉର୍ଦ୍ଧ୍ବ ଟୁରିଷ୍ଟ ବସ୍ ଯାତ୍ରୀବାହି ବସ୍ ଭଲି ଟିକଟ କାଟି ରାଜ୍ୟ ବାହାରକୁ ଗଡୁଛି। ତେବେ ଏହି ବସ୍ ଗୁଡ଼ିକ ବିଭିନ୍ନ ସମୟରେ ଯାତ୍ରୀମାନଙ୍କୁ ଅନେକ ହଇରାଣ କରିବା ସହ ଗନ୍ତବ୍ୟ ସ୍ଥଳକୁ ନ ନେଇ ଅଧା ବାଟରେ ମଧ୍ୟ ଛାଡୁଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସାନ୍ ଟୁର ଆଣ୍ଡ ଟ୍ରାଭେଲ୍ସର ଏକ ନ୍ୟୁଇଣ୍ଡିଆ ବସ୍ ହାଇଦ୍ରାବାଦରୁ ପ୍ରବାସୀ ଶ୍ରମିକ ମାନଙ୍କୁ ଆଣୁଥିବା ବେଳେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା ପରିବର୍ତ୍ତେ ଆମପାଣି ବସ୍ଷଷ୍ଟପ ରେ ଓହ୍ଲାଇ ଦେଇଥିଲା। ଏହାପରେ ସେଠାରେ ଉତ୍ତେଜନା ସୃଷ୍ଟି ହେବାପରେ ଆମପାଣି ପୁଲିସ ହସ୍ତକ୍ଷେପ କରି ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା। ଏନେଇ ‘ଓଡ଼ିଆ ବାର୍ତ୍ତା’ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ତତ୍ପରତା ଦେଖାଇଛି। ଆମପାଣି ଠାରେ ଆଜି ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରିବା ପରେ ଦୁଇଟି ଘରୋଇ ବସ୍ କୁ ୧୦ ହଜାର ଟଙ୍କା ଲେଖାଏଁ ଫାଇନ କରାଯାଇଛି। ଉକ୍ତ ବସ୍ ଗୁଡ଼ିକ ଷ୍ଟୁରିଷ୍ଟ ପରମିଟ ଥିବାବେଳେ ସେମାନେ ସାଧାରଣତ ଯାତ୍ରୀବାହୀ ବସ୍ ଭଲି ଲୋକଙ୍କୁ ଟିକଟ କାଟି ହାଇଦ୍ରାବାଦ, ବେଙ୍ଗାଲୁରୁ ଭଲି ସହରକୁ ନେଉଥିଲେ। ଖାଲି ସେତିକି ନୁହେଁ ଏମାନେ ଆବଶ୍ୟକ ସିଟ ଠାରେ ଠେଲାପେଲା କରି ବସରେ ଯାତ୍ରୀ ମାନଙ୍କୁ ଚଢାଉଥିଲେ। ତେବେ ଆଞ୍ଚଳିକ ପରିବହନ ବିଭାଗର ଚେକିଂ ହେଉଥିବା ଜାଣିବା ପରେ ବେଆଇନ୍ ଭାବେ ଗଡୁଥିବା କେତେକ ବସ୍ ଅନେକ ସ୍ଥାନରେ ଅଟକି ଯାଇ ଆସି ନଥିବାବେଳେ ବେଆଇନ୍ ବସ୍ ଚଳାଚଳ କରୁଥିବା ଅସାଧୁ ମାଲିକ୍ ମଧ୍ୟରେ ଛନକା ପଶିଯାଇଛି। ଏହି ଚେକିଂ ସମୟରେ ଏମଭିଆଇ ଅଧିକାରୀ ମିଥୁନ ପ୍ରଧାନଙ୍କ ନେତୃତ୍ୱରେ କନେଷ୍ଟବଳ ସବ୍ୟସାଚୀ ମିଶ୍ର ଓ ଦେବବ୍ରତ ସା ସାମିଲ ହୋଇଥିଲେ।





