ଟିପିଏନଓଡିଏଲ୍ ପକ୍ଷରୁ ଅନୁଷ୍ଠିତ ହେଲା ୩ୟ ଜାତୀୟ ଲୋକ ଅଦାଲତ: ବିଦ୍ୟୁତ ଚୋରି ଏବଂ ଏନଫୋର୍ସମେଣ୍ଟ୍ ମାମଲାର ହେବ ସହଜ ସମାଧାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଟାଟା ପାଓ୍ଵାର୍ ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ( ଟିପିଏନଓଡିଏଲ୍) ପକ୍ଷରୁ ବେଆଇନ୍ ତଥା ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ବିବାଦଗୁଡ଼ିକର ଆପୋସ ଓ ତ୍ଵରିତ ସମାଧାନ ପାଇଁ ଆସନ୍ତା ୧୨ ସେପମ୍ବର ୨୦୨୬ ରେ ନିଜସ୍ବ ବିଦ୍ୟୁତ ସେବା ଯୋଗାଣ ଅଂଚଳରେ ଚଳିତ ବର୍ଷର ୩ୟ ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର ଆୟୋଜନ ହେବ ବୋଲି କୁହାଯାଇଛି।

ଏହି ସମାଧାନ ଶିବିର ସକାଳ ୯ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ବାଲେଶ୍ବର, କେନ୍ଦୁଝର, ଯାଜପୁର, ଭଦ୍ରକ ଏବଂ ବାରିପଦା ବୈଦ୍ୟୁତିକ ମଣ୍ଡଳ ଅଧୀନସ୍ଥ ସମସ୍ତ ଡିଭିଜନ୍, ସବ୍-ଡିଭିଜନ୍ କାର୍ଯ୍ୟାଳୟ ସମେତ ନିର୍ଦ୍ଧାରିତ ଅଦାଲତ ପରିସରରେ ଅନୁଷ୍ଠିତ ହେବ। ଜାତୀୟ ଆଇନ ସେବା ପ୍ରାଧିକରଣର ଦିଗଦର୍ଶନରେ ଆୟୋଜିତ ଏହି ଶିବିର, ଉପଭୋକ୍ତାମାନଙ୍କୁ ଦୀର୍ଘ ଦିନର ବିବାଦର ସହଜ, ସ୍ଵଚ୍ଛ ଏବଂ ସମୟବଦ୍ଧ ସମାଧାନ ପାଇଁ ଏକ ନିର୍ଭରଯୋଗ୍ୟ ମଂଚ ପ୍ରଦାନ କରିବାରେ ବିଶେଷ ସହାୟକ ହେବ। ଉପଭୋକ୍ତାମାନଙ୍କୁ ଦସ୍ତାବିଜ ସ
ଯାଞ୍ଚ୍, ଯୋଗ୍ୟତା ନିରୂପଣ ଏବଂ ତତ୍କାଳ ସମାଧାନ ପ୍ରକ୍ରିୟାରେ ସହାୟତା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଏନଫୋର୍ସମେଣ୍ଟ୍ ଅଧିକାରୀ, ଆଇନଜୀବୀ ଏବଂ ପ୍ରଶାସନିକ କର୍ମଚାରୀଙ୍କୁ ନେଇ ସ୍ଵତନ୍ତ୍ର ଟିମ୍ ନିୟୋଜିତ ହେବାର ଯୋଜନା ରହିଛି। ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୧୨୬ ଅନୁଯାୟୀ ବିଦ୍ୟୁତର ଅନଧିକୃତ ବ୍ୟବହାର ଏବଂ ଧାରା ୧୩୫ ଅନୁଯାୟୀ ବିଦ୍ୟୁତ୍ ଚୋରି ଏକ ଦଣ୍ଡନୀୟ ଅପରାଧ ଅଟେ, ଯେଉଁଥିପାଇଁ ଆର୍ଥକ ଜରିମାନା, କାରାଦଣ୍ଡ, ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଏବଂ ଆଇନ ଅନୁଯାୟୀ ଅନ୍ୟାନ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି। ଏହି ବେଆଇନ୍, କାର୍ଯ୍ୟ କେବଳ ଅଭିଯୁକ୍ତଙ୍କ ପାଇଁ ଆଇନଗତ ସମସ୍ୟା ସୃଷ୍ଟି କରେ ନାହିଁ, ବରଂ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ସମୁଦାୟ ବୈଷୟିକ ଓ ବ୍ୟବସାୟିକ କ୍ଷତି (ଏଟିଏଣ୍ଡସି କ୍ଷତି) ମଧ୍ୟ ବୃଦ୍ଧି କରିଥାଏ। ବିଦ୍ୟୁତ ଚୋରି ଦ୍ଵାରା କେବଳ ରାଜସ୍ଵ ହାନି ନୁହଁ, ସଚ୍ଚୋଟ ଉପଭୋକ୍ତାମାନେ ମଧ୍ୟ ବିଶେଷ ପ୍ରଭାବିତ ହୋଇଥାନ୍ତି। ଏହା ଯୋଗୁଁ ଭୋଲଟେଜ୍ ସମସ୍ୟା, ଟ୍ରାନ୍ସଫର୍ମର ପୋଡ଼ିଯିବା ଏବଂ ଅପ୍ରତ୍ୟାଶିତ ବିଦ୍ୟୁତ୍ କାଟ୍ ଭଳି ସମସ୍ୟା ଦେଖାଦେଇଥାଏ। ଜାତୀୟ ଲୋକ ଅଦାଲତର ଆଭିମୁଖ୍ୟ ସମ୍ପର୍କରେ ଟିପିଏନ୍‌ଓଡ଼ିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, ‘ଏକ ସୁଦୃଢ଼, ସ୍ଵଚ୍ଛ ଏବଂ ନ୍ୟାୟପୂର୍ଣ୍ଣ ବିଦ୍ୟୁତ୍ ସେବା ପାଇଁ ସମସ୍ତଙ୍କର ନୈତିକ ଭାଗୀଦାରିତା ନିତାନ୍ତ ଜରୁରୀ ଅଟେ। ବିଦ୍ୟୁତର ଅନଧିକୃତ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ଆଇନଗତ ଅପରାଧ ହୋଇଥିବାବେଳେ ଏହା ସୁଲଭ, ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଣରେ ମଧ୍ୟ ବାଧା ସୃଷ୍ଟି କରିଥାଏ। ଏଥିପାଇଁ ଏଥରୁ ସମସ୍ତେ ନିବୃତ ରହିବା ଉଚିତ।’ ଏହି ଅବସରରେ ଟିପିଏନ୍‌ଓଡ଼ିଏଲ୍ ସମସ୍ତ ବାକି ପଡ଼ିଥିବା ଏନ୍‌ଫୋର୍ସମେଣ୍ଟ୍ ମାମଲାର ଆପୋସ ସମାଧାନ କରିବା, ସଂଯୋଗ ନିୟମିତ କରିବା ଏବଂ ଉତ୍ତର ଓଡ଼ିଶାରେ ଏକ ସୁଦୃଢ଼ ବିଦ୍ୟୁତ୍ ନେଟୱର୍କ ଗଠନରେ ସହଯୋଗ କରିବାକୁ ଉପଭୋକ୍ତାମାନଙ୍କୁ ଆହ୍ବାନ ଜଣାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.