ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦଘାଟିତ ହେଲା ଭାରତୀୟ ଭାଷା ବ୍ୟବସ୍ଥା ଉପରେ ଦୁଇ ଦିନିଆ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଇ-ଲାଇବ୍ରେରୀ ରିଡିଂ ରୁମ୍‌ରେ ଭାରତୀୟ ଭାଷା ସମିତି ଏବଂ ସେଣ୍ଟର ଫର୍ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍‌ର ମିଳିତ ଆନୁକୂଲ୍ୟରେ ‘ଭାରତୀୟ ଭାଷା ବ୍ୟବସ୍ଥା ନିମନ୍ତେ ରାଜ୍ୟ କାର୍ଯ୍ୟାନ୍ୱୟନ ଯୋଜନା’ ପ୍ରସ୍ତୁତି ସମ୍ପର୍କିତ ଏକ ଦୁଇ-ଦିନିଆ ପ୍ରସ୍ତୁତି କର୍ମଶାଳା ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ସମାରୋହରେ ଡ. ତନୟା ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଯୋଗଦେଇ ଜାତୀୟ ଶିକ୍ଷାନୀତି ଅଧୀନରେ ଭାରତୀୟ ଜ୍ଞାନ ପରମ୍ପରା, ମାତୃଭାଷା ତଥା ସ୍ଥାନୀୟ ଇତିହାସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଆଇଏମ୍ଏମ୍‌ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ, ଆର୍‌ଜିପିଭିର ଜନସମ୍ପର୍କ ଅଧିକାରୀ ଡ. ଶଶିରଞ୍ଜନ ଅକେଲା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗର ପ୍ରଫେସର ଭେଙ୍କଟ ରମେୟା ଗାମ୍ପା ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ଭାଷା, ସାହିତ୍ୟ ତଥା ଆଞ୍ଚଳିକ ଇତିହାସକୁ ସମୃଦ୍ଧ କରିଥିବା ଅନାଲୋଚିତ ନାୟକଙ୍କ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ସମାଜ ଗଠନରେ ନିରବଚ୍ଛିନ୍ନ ଅବଦାନ ରଖିଥିବା ଏହି ଅନାଲୋଚିତ ପ୍ରତିଭାମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମଟିକୁ ଉଜ୍ଜ୍ୱଳା ରାୟ ଏବଂ ଶିବାଙ୍ଗୀ ଗିରି ସଫଳତାର ସହ ମଞ୍ଚ ସଂଯୋଜନା କରିଥିବାବେଳେ କର୍ମଶାଳାର ସଫଳ ପରିଚାଳନା ପାଇଁ ଡ. ପ୍ରଶାନ୍ତ ରାଉତ ଏବଂ ଜ୍ଞାନରଞ୍ଜନ ସ୍ୱାଇଁଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଅଧିକ ପ୍ରତିନିଧି ଏବଂ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.