ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଆଜି ହୋଇଛି ଉପନିର୍ବାଚନ । ନିର୍ଦ୍ୱନ୍ଦ୍ୱରେ ନବ ନିର୍ବାଚିତ ହୋଇଛନ୍ତି ଶ୍ରମିତା ପାଢ଼ୀ । ମୋଟ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ଉପସ୍ଥିତ ରହିଥିଲେ । ଉପାଧ୍ୟକ୍ଷା ପଦ ପାଇଁ କେବଳ ଜଣେ ୧୬ ନମ୍ୱର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ପଦକୁ ନେଇ ପୂର୍ବରୁ ପୌର ପରିଷଦରେ ରାଜନୈତିକ ଟଣା ଓଟରା ଦେଖିବାକୁ ମିଳିଥିଲା । ଦଳୀୟ ଆସ୍ତା ସତ୍ତ୍ୱେ ପୂର୍ବତନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଭୋଟରେ ଶୁଭ୍ରା ପଣ୍ଡା ପରାସ୍ତ ହେବା ପରେ ଉପାଧ୍ୟକ୍ଷା ପଦ ଖାଲି ପଡ଼ିଥିଲା । ରାୟଗଡ଼ା ପୌର ପରିଷଦରେ ମୋଟ ୨୪ ଜଣ କାଉନସିଲର ଅଛନ୍ତି । ସେଥିରୁ ବିଜେପିର ୨, ବିଜେଡିର ୨ ଓ କଂଗ୍ରେସର ଜଣେ କାଉନସିଲର ଥିବା ବେଳେ ୧୯ ଜଣ କାଉନସିଲର ବିଜୁ ସ୍ବାଭିମାନ ମଞ୍ଚର ସଭାପତି ଏନ୍. ଭାସ୍କର ରାଓଙ୍କ ସମର୍ଥକ ଭାବେ ରହିଛନ୍ତି ।





