ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ତାମ୍ର ପ୍ରସ୍ତର ଯୁଗରୁ ଦୁର୍ଗାଦେବୀ ଠାରେ ବାଲେଶ୍ୱର ଜିଲ୍ଲାର ଆଦିମ ସଭ୍ୟତାର ଇତିହାସ ମିଳେ। ଅଯୋଧ୍ୟାରେ ବହୁ ପ୍ରାଚୀନ ପଥର ମୂର୍ତ୍ତି ମିଳିଲା ବେଳେ ଖଇରାରୁ ପ୍ରାଚୀନ ଓଡ଼ିଆ ଶିଳାଲେଖ ମିଲିଛି। ବାଲେଶ୍ୱରର ଉନ୍ନତ ଓ ପ୍ରାଚୀନ ଲୋକକଳା, ଲୋକନାଟ, ଲୋକ ସାହିତ୍ୟର ଭଣ୍ଡାର ଥିବା ବେଳେ ଉନ୍ନତ ଚିତ୍ରକଳା ମଧ୍ୟ ଥିଲା। ଅନେକ ମନ୍ଦିର ମାନଙ୍କରେ ମନ୍ଦିରକୁ ସୁନ୍ଦର ଓ ପୌରାଣିକ କାହାଣୀକୁ ପ୍ରଚାର ପ୍ରସାର ପାଇଁ ବିଭିନ୍ନ କଥାବସ୍ତୁକୁ ନେଇ ଭିତ୍ତିଚିତ୍ର ସବୁ ଅଙ୍କା ଯାଇଥିଲା। କେତେକ ପୁରୁଣା ମନ୍ଦିରରେ ସଚେତନତା ଅଭାବରୁ ଭିତ୍ତି ଚିତ୍ରରେ ଚୂନ ମାରି ଲିଭେଇ ଦିଆଯାଇଥିବା ବେଳେ ସଦର ବ୍ଲକର ଓଡ଼ଙ୍ଗୀ ପଞ୍ଚାୟତର କଉଡ଼ି ପୁର ଗ୍ରାମର ସିଦ୍ଧେଶ୍ୱର ମହାଦେବ ମନ୍ଦିରର ସିଲିଂରେ ପ୍ରାଚୀନ ଭିତ୍ତିଚିତ୍ରର ସନ୍ଧାନ ମିଳିଛି।
ସ୍ଥାନୀୟ ଚିତ୍ରଶିଳ୍ପୀ ଅରୁଣ ବାରିକ ସହ ଶିଳ୍ପୀ କେଶୁ ଦାସ ଓ ଅଙ୍କିତ ଦାସ ମନ୍ଦିର ପରିଭ୍ରମଣ କରି ପ୍ରାଚୀନ ଚିତ୍ର ଦେଖିଥିଲେ। ଶିଳ୍ପୀ କେଶୁ ଦାସଙ୍କ ମତରେ “ଏହି ମହାଦେବ ମନ୍ଦିରର ସ୍ଥାପତ୍ୟ ଶୈଳୀ ଓ ଭିତ୍ତିଚିତ୍ରର ଅଙ୍କନ ଶୈଳୀରୁ ଅନୁମାନ କରାଯାଏ ଯେ ଏହା ବର୍ତ୍ତମାନର କ୍ଷୀରଚୋରା ଗୋପୀନାଥ ମନ୍ଦିରର ପରବର୍ତ୍ତୀ ସମୟର। ପ୍ରାୟ ଖ୍ରୀଷ୍ଟପୂର୍ବ ୧୬୫୦ ରୁ ଖ୍ରୀପୂ ୧୭୫୦ ମଧ୍ୟରେ ମନ୍ଦିର ନିର୍ମାଣ ଓ ଭିତ୍ତିଚିତ୍ର ଅଙ୍କନ କରାଯାଇଛି। ନିର୍ଭୁଲ ତଥ୍ୟ ପାଇଁ ଗବେଷଣା ଆବଶ୍ୟକ।”
ସେ ଆହୁରି ମଧ୍ୟ କହନ୍ତି – “ଓଡ଼ିଶାର ଅନ୍ୟ କେତୋଟି ପ୍ରାଚୀନ ମନ୍ଦିରରେ ଯେଉଁ ପଦ୍ଧତିରେ ଭିତ୍ତିଚିତ୍ର ଅଙ୍କା ଯାଇଛି, ଠିକ୍ ସେହି ପଦ୍ଧତିରେ ଏଠି ମଧ୍ୟ ଅଙ୍କା ଯାଇଛି। ବ୍ୟବହୃତ ରଙ୍ଗ ସବୁ ଖଣିଜ ଓ ପ୍ରାକୃତିକ ରଙ୍ଗ। ଇଣ୍ଡିଗୋ ବା ନୀଳ ରଙ୍ଗର ବ୍ୟବହାର ସୁନ୍ଦର ଭାବରେ କରିଛନ୍ତି। ଗେରୁ, ଏଲା, ହରିତଲ, ଶଙ୍ଖ ଧଳା, ଦୀପ କଳା। ବିଷୟ ବସ୍ତୁ ସାଧାରଣତଃ ପୌରାଣିକ। ଯଥା କୃଷ୍ଣଲୀଳା, ମହାଭାରତ, ରାମାୟଣ, ଦଶ ଅବତାର, ନବ ଦୁର୍ଗା, ଯମ ଦଣ୍ଡ ସହ ଗଣେଶ, ଅନନ୍ତ ଶୟନ, ମାଣିକ ଗୌଡୁଣୀ ବିଷୟରେ ଚାରି ଥାକରେ ଅଙ୍କନ କରାଯାଇଛି। ଉତ୍କଳୀୟ ଚିତ୍ର ଶୈଳୀରେ ବଙ୍ଗୀୟ ଚିତ୍ର ଶୈଳୀର ମିଶ୍ରଣ ଘଟିଛି। ପ୍ରାୟ ଚିତ୍ର ସବୁ ଉତ୍କଳୀୟ ଶୈଳୀରେ ହୋଇଥିବା ବେଳେ କେତୋଟି ଚିତ୍ର ବଙ୍ଗୀୟ ଶୈଳୀରେ। ପଶୁ ପକ୍ଷୀ ସରୀସୃପ, କୀଟପତଙ୍ଗ ସହ ଫ୍ଲୋରା ଫୋନାର ମୋଟିଭ ରହିଛି। ପଟ୍ଟଚିତ୍ର ପରି ସବୁ ଚିତ୍ରର ବେକ୍ ଗ୍ରାଉଣ୍ଡରେ ବିଭିନ୍ନ ପ୍ରକାରର ବୁଟିକ୍ ରହିଛି।”

“ଏହି ଭିତ୍ତିଚିତ୍ର କେବଳ ବାଲେଶ୍ୱରର ନୁହଁ, ଭାରତ କଳା ଜଗତର ଅମୂଲ୍ୟ ସମ୍ପଦ। ଯଥାଶୀଘ୍ର ଏହାର ସଂରକ୍ଷଣ ବ୍ୟବସ୍ଥା କରିବା ସହ ଜାତୀୟ ଐତିହ୍ୟ ଭାବେ ଘୋଷଣା କରାଯାଉ” ବୋଲି ଶିଳ୍ପୀ କେଶୁ ଦାସଙ୍କ ଦାବୀ କରିଛନ୍ତି। ଯୁବ ଚିତ୍ରଶିଳ୍ପୀ ଅରୁଣ ବାରିକ କହନ୍ତି – ଛୋଟବେଳୁ ଆମେ ଏହି ଚିତ୍ର ଦେଖି ଚିତ୍ରକାର ହେବା ପାଇଁ ପ୍ରେରଣା ପାଇଛି। ଚିତ୍ରକଳା ରିଷ୍ଟୋରେଶନ କରୁଥିବା ଯୁବ ଚିତ୍ରଶିଳ୍ପୀ ଅଙ୍କିତ ଦାସ କହନ୍ତି – ଏହି ଭଳି ଅମୂଲ୍ୟ କଳାକୁ ସଂରକ୍ଷଣ କରି ରଖିବ ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଅର୍ଥ ସହାୟତା କରୁଛନ୍ତି। ସ୍ଥାନୀୟ ପ୍ରଶାସକ ଓ ରାଜ୍ୟ ସରକାର ଆନ୍ତରିକତାର ସହ କାର୍ଯ୍ୟ ସମ୍ପାଦନ କରିବା ଉଚିତ୍।





