ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧାରେ ଏକକାଳୀନ ତଲାସୀ; ୨୦ ଦାମୀ ପ୍ଲଟ୍, ୫ ଏକର ଫାର୍ମହାଉସ୍ ଓ ୨.୭୭ ଲକ୍ଷ ଟଙ୍କା ନଗଦ ଠାବ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ଆର୍ଆଣ୍ଡ୍ବି ଡିଭିଜନ୍, ବାରିପଦା ଅଧୀନସ୍ଥ ବେତନଟୀ ଆର୍ଆଣ୍ଡ୍ବି ସବ୍ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ସହ ସମ୍ପୃକ୍ତ ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ମାନ୍ୟବର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଏହି ତଲାସୀ ଚାଲିଛି। ଚଢ଼ାଉରେ ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରର ଅଙ୍ଗାରଗଡ଼ିଆସ୍ଥିତ ତିନି ମହଲା ଘର, ଖୋର୍ଦ୍ଧାର ବାଲିଅନ୍ତାସ୍ଥିତ ଦୁଇ ମହଲା ଘର, ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନ, ଜଳେଶ୍ୱରର ରାୟଣ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବାଲେଶ୍ୱରର ବସନ୍ତପୁରସ୍ଥିତ ଫାର୍ମହାଉସ୍, ବାମପଦାସ୍ଥିତ ଅନ୍ୟ ଏକ ଘର ସମେତ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଅଙ୍ଗାରଗଡ଼ିଆ, ବୈଶିଙ୍ଗା ଓ ବାମପଦାସ୍ଥିତ ଘରେ ମଧ୍ୟ ତଲାସୀ ଚାଲିଛି।
୨୦ ଦାମୀ ପ୍ଲଟ୍, ୫ ଏକର ଫାର୍ମହାଉସ୍ ଠାବ

ତଲାସୀ ବେଳେ ଏପର୍ଯ୍ୟନ୍ତ ଶ୍ରୀ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବୋଲି କୁହାଯାଉଥିବା ଅନେକ ସମ୍ପତ୍ତିର ସନ୍ଧାନ ମିଳିଛି। ଏଥିରେ ବାଲେଶ୍ୱର ଅଙ୍ଗାରଗଡ଼ିଆରେ ପ୍ରାୟ ୩,୫୦୦ ବର୍ଗଫୁଟ୍ର ତିନି ମହଲା କୋଠା ଏବଂ ଖୋର୍ଦ୍ଧା ବାଲିଅନ୍ତାରେ ପ୍ରାୟ ୧,୮୦୦ ବର୍ଗଫୁଟ୍ର ଦୁଇ ମହଲା କୋଠା ରହିଛି। ସେହିପରି ବାଲେଶ୍ୱର ଜିଲ୍ଲା ବସନ୍ତପୁରରେ ପ୍ରାୟ ୫ ଏକର ଜମିରେ ଥିବା ଫାର୍ମହାଉସ୍ର ସନ୍ଧାନ ମିଳିଛି। ଏହି ଫାର୍ମହାଉସ୍ରେ ଦୁଇଟି ମାଛ ପୋଖରୀ ଓ ପୋଲ୍ଟ୍ରି ଫାର୍ମ ଥିବା ଜଣାପଡ଼ିଛି। ଏହାବ୍ୟତୀତ ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ୨୦ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି। କୋଠା, ଫାର୍ମହାଉସ୍ ଓ ପ୍ଲଟ୍ଗୁଡ଼ିକର ମାପ, ମୂଲ୍ୟାୟନ ଓ ଆକଳନ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ କରାଯାଉଛି। ତଲାସୀରୁ ଏପର୍ଯ୍ୟନ୍ତ ୨ ଲକ୍ଷ ୭୭ ହଜାର ଟଙ୍କା ନଗଦ, ଗୋଟିଏ ବ୍ରେଜା ଚାରିଚକିଆ ଗାଡ଼ି ଓ ଦୁଇଟି ଦୁଇଚକିଆ ଯାନ ଠାବ ହୋଇଛି। ଏଥିସହ ଦୁଇଟି ଲକର୍ର ସନ୍ଧାନ ମିଳିଛି। ସେଥିରୁ ଗୋଟିଏ ତାଙ୍କ ପତ୍ନୀଙ୍କ ନାମରେ ଏବଂ ଅନ୍ୟଟି ତାଙ୍କ ଜଣେ ସହଯୋଗୀଙ୍କ ନାମରେ ଥିବା ଜଣାପଡ଼ିଛି। ଉଭୟ ଲକର୍ ଏପର୍ଯ୍ୟନ୍ତ ଖୋଲା ଯାଇନାହିଁ। ବିଭିନ୍ନ ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଆର୍ଥିକ ନିବେଶ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।
୧୯୯୭ରେ ମାତ୍ର ୫ ହଜାର ଟଙ୍କା ଦରମାରେ ଜୁନିଅର ଇଞ୍ଜିନିୟର ଭାବେ ଚାକିରି ଆରମ୍ଭ

ଭିଜିଲାନ୍ସ ପକ୍ଷରୁ ଜାରି ତାଙ୍କ ଚାକିରି ସମ୍ପର୍କିତ ତଥ୍ୟ ଅନୁଯାୟୀ, ଅରବିନ୍ଦ ମହାନ୍ତିଙ୍କ ଜନ୍ମ ୨୮ ଡିସେମ୍ବର ୧୯୬୬। ସେ ୪ ଅଗଷ୍ଟ ୧୯୯୭ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ରେ ଜେଇ (ଜେଆର୍ୱାଇ) ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କ ପ୍ରାରମ୍ଭିକ ମାସିକ ଦରମା ଥିଲା ୫,୦୦୦ ଟଙ୍କା।
୧୯୯୯ ଜାନୁଆରୀରେ ତାଙ୍କୁ ଇଡକୋ, ନବରଙ୍ଗପୁରରେ ଜେଇ ଭାବେ ବଦଳି କରାଯାଇଥିଲା। ସେଠାରେ ୨୦୦୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ସେ ବାଲେଶ୍ୱର ଆର୍ଡି ଡିଭିଜନ୍ ଅଧୀନ ବାହାନଗା ଓ ସୋରୋ ଆର୍ଡି ସେକ୍ସନ୍ରେ ଜେଇ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ ସେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇ ବାରିପଦା ଆର୍ଡି ଡିଭିଜନ୍ ଅଧୀନ ବୋଇସିଙ୍ଗା ଆର୍ଡି ସେକ୍ସନ୍ରେ ନିଯୁକ୍ତ ହୋଇଥିଲେ। ୨୦୨୦ରେ ତାଙ୍କୁ ଢେଙ୍କାନାଳ ଆର୍ଡି ଡିଭିଜନ୍ ଅଧୀନ ମହିଧରପୁର ଆର୍ଡି ସେକ୍ସନ୍କୁ ବଦଳି କରାଯାଇଥିଲା। ୨୦୨୨ରେ ସେ ପାଣିକୋଇଲି ଆର୍ଆଣ୍ଡ୍ବି ଡିଭିଜନ୍ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ୨୦୨୩ରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇଥିଲେ। ୨୦୨୫ ଜାନୁଆରୀରେ ତାଙ୍କୁ ବେତନଟୀ ଆର୍ଆଣ୍ଡ୍ବି ସବ୍ଡିଭିଜନ୍ରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ ବଦଳି କରାଯାଇଥିଲା। ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୯ ସେପ୍ଟେମ୍ବର ୨୦୨୬ରେ ସେ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇଛନ୍ତି ଏବଂ ବର୍ତ୍ତମାନ ସେହି ପଦରେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସର ତଲାସୀ ଅଭିଯାନ ଜାରି ରହିଛି। ସମସ୍ତ ସମ୍ପତ୍ତିର ମୂଲ୍ୟାୟନ ଓ ଅନ୍ୟାନ୍ୟ ଆର୍ଥିକ ନିବେଶର ଯାଞ୍ଚ ପରେ ଏହି ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି ବୋଲି କୁହାଯାଉଛି।





