ତୁରନ୍ତ ସର୍ଭେ ଓ ସହାୟତା ଦାବି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅଧୀନ ରେଞ୍ଜଶାପାଲି ଗ୍ରାମପଞ୍ଚାୟତର ତେଲ ନଦୀ ତଳୁଆ ଅଞ୍ଚଳରେ ସମ୍ପ୍ରତି ହୋଇଥିବା ବନ୍ୟାରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ବନ୍ୟାଜଳ ମାଡ଼ି ଆସିବାରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀମାନଙ୍କ ଚାଷ ଖର୍ଚ୍ଚ ଓ ଶ୍ରମ ବ୍ୟର୍ଥ ଯାଇଛି। ଏହାଦ୍ୱାରା କୃଷି ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। କ୍ଷୟକ୍ଷତିର ସର୍ଭେ ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଗୋଲାମୁଣ୍ଡା ବ୍ଲକ ଅଧୀନ ବୋରଗୁଡ଼ା ଆର୍.ଆଇ.ଙ୍କୁ ଭେଟିଥିବା ବେଳେ, ଗାଁ ସାଥୀଙ୍କ ମାଧ୍ୟମରେ ସର୍ଭେ କରାଯିବ ବୋଲି କୁହାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ବନ୍ୟାରେ ପ୍ରକୃତରେ କେତେ ଚାଷଜମି ଓ ଫସଲ କ୍ଷତିଗ୍ରସ୍ତ ହୋଇଛି, ତାହାର ସଠିକ ଆକଳନ ପାଇଁ ରାଜସ୍ୱ ଓ କୃଷି ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ କ୍ଷେତ୍ରସ୍ତରୀୟ ସର୍ଭେ କରାଇବାକୁ ଚାଷୀମାନେ ଦାବି କରିଛନ୍ତି। ସର୍ଭେ ସମୟରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀଙ୍କ ନାମ, ଜମିର ପରିମାଣ, ଖାତା ଓ ପ୍ଲଟ୍ ନମ୍ବର ସହ ଫସଲ କ୍ଷୟକ୍ଷତିର ସଠିକ ତଥ୍ୟ ରେକର୍ଡ କରିବାକୁ ଦାବି ହୋଇଛି। ଏହା ଆଧାରରେ ସରକାରୀ ନିୟମ ଅନୁସାରେ ଫସଲ କ୍ଷତିପୂରଣ/ଇନପୁଟ୍ ସବସିଡି ପ୍ରଦାନ ସହ ଯୋଗ୍ୟ ଚାଷୀଙ୍କ ଫସଲ ବୀମା ଦାବି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଯେଉଁ ଜମିରେ ପୁନଃଚାଷ ସମ୍ଭବ, ସେଠାରେ ଆବଶ୍ୟକ ବିହନ, ସାର ଓ କୃଷି ଇନପୁଟ୍ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ କ୍ଷତିଗ୍ରସ୍ତ ଅଞ୍ଚଳକୁ ସମ୍ପୃକ୍ତ ଅଧିକାରୀମାନେ ସ୍ଥଳ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବାକୁ ଦାବି ହୋଇଛି। ବନ୍ୟାରେ କ୍ଷତିଗ୍ରସ୍ତ ଚାଷଜମି ଓ ଧାନ ଫସଲର ଫୋଟୋ ଓ ଭିଡିଓ ମହଜୁଦ ଥିବା ଚାଷୀମାନେ କହିଛନ୍ତି। ଏହି ପ୍ରମାଣ ଆଧାରରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଯୋଗ୍ୟ ଚାଷୀଙ୍କୁ ବିଳମ୍ବ ନକରି ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।





