ବିକାଶର ନଗ୍ନ ଚିତ୍ର: କିଡିଙ୍ଗ ଖରଡ଼ିଆ ପଡ଼ାରେ ଟୋପାଏ ପାଣି ପାଇଁ ହାହାକାର, ଧୂଆଁବାଣ ସାଜିଛି ସୋଲାର ପ୍ରକଳ୍ପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ଜଳ ଜୀବନ ମିଶନର ଅସଲ ଚିତ୍ର କଣ, ଦେଖିବାକୁ ହେଲେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଗ୍ରାମର ଖରଡ଼ିଆ ପଡ଼ାକୁ ଆସିବାକୁ ପଡିବ। ଏଠି ସରକାର ଓ ପାନୀୟ ଜଳ ଯୋଗାଣ ବିଭାଗ କୋଟି ଟଙ୍କାର ବିଜ୍ଞାପନ କରି ‘ଘରେ ଘରେ ବିଶୁଦ୍ଧ ପାଣି’ ଦେଉଥିବା ଡିଣ୍ଡିମ ପିଟୁଛନ୍ତି, ହେଲେ ଗ୍ରାଉଣ୍ଡ ଜିରୋରେ ୩୦ ପରିବାରର ଶହେରୁ ଅଧିକ ଆଦିବାସୀ ଆଜି ବି ଗୋଳିଆ ପାଣି ପିଇ ବଞ୍ଚୁଛନ୍ତି। ବିଭାଗ ତରଫରୁ ଲକ୍ଷ ଟଙ୍କା ଖର୍ଚ କରି ନଳକୂପ ଓ ସୋଲାର ଟାଙ୍କି ବସିଲା, କିନ୍ତୁ କାମ ସରିବା ପରେ ବିଭାଗ ଭୁଲିଗଲା। ନଳକୂପରୁ ଗୋଳିଆ ପାଣି ବାହାରୁଛି, ସୋଲାର ପ୍ରକଳ୍ପ ମାସ ମାସ ଧରି ଅଚଳ। ସରକାରୀ ଫାଇଲରେ ପ୍ରକଳ୍ପ ସଫଳ, କିନ୍ତୁ ବାସ୍ତବରେ ଲୋକେ ପାଣି ବିନା ମରୁଛନ୍ତି। ଗ୍ରାମବାସୀ ବ୍ଲକକୁ ଯାଇ ବାରମ୍ବାର ଗୁହାରି କରି ନିରାଶ ହେଲେଣି। ପ୍ରଶାସନ କାନରେ ତୂଳା ଦେଇ ବସିଛି। ଯଦି ସରକାର ସତରେ ଆଦିବାସୀ ଦରଦୀ, ତେବେ କିଡିଙ୍ଗ ପରି ଗାଁରେ ଲୋକେ କାହିଁକି ଆଜି ବି ନଦୀ ନାଳର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ‘ଘରେ ଘରେ ବିଶୁଦ୍ଧ ପାଣି’ ନାରା କେବଳ ପୋଷ୍ଟର ଓ ବିଜ୍ଞାପନରେ ସୀମିତ ହୋଇଛି। ବିଭାଗ ପକ୍ଷରୁ ନିୟମିତ ମରାମତି ନହେବାରୁ ଏଭଳି ସ୍ଥିତି ଉପୁଜିଛି। ତୁରନ୍ତ ଏହାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.