ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ରାତିର ନିରବତାକୁ ଭେଦି ଟ୍ରକ୍ ଅଟକାଇଲେ, କାଚ ଭାଙ୍ଗିଲେ, ଛୁରୀ ଦେଖାଇ ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ଆଣିଲେ। ଜୀବନ ବଞ୍ଚାଇବା ପାଇଁ ଭୟଭୀତ ଡ୍ରାଇଭର କ୍ଷେତ ଦେଇ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ। ଏଭଳି ଏକ ଭୟଙ୍କର ଟ୍ରକ୍ ଲୁଟ୍ ଘଟଣାରେ ସିନାପାଲୀ ପୋଲିସକୁ ମିଳିଛି ବଡ଼ ସଫଳତା। ସିନାପାଲୀ ଥାନା ଆଇଆଇସି ମହେଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ତଦନ୍ତ କରି ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ହୋଇଥିବା ଟ୍ରକ୍ ବ୍ୟାଟେରୀ ଏବଂ ଘଟଣାରେ ବ୍ୟବହୃତ ମୋଟରସାଇକେଲ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୧ ତାରିଖ ରାତିରେ ଟ୍ରକ୍ ଡ୍ରାଇଭର ସନ୍ତରାମ ସୋନୱାନୀ (୩୮) ଟ୍ରକ୍ ନଂ. CG-04-NP-5823 ଯୋଗେ ନବରଙ୍ଗପୁରରୁ ଖଡ଼ିଆଳ ରୋଡ୍ ଅଭିମୁଖେ ଯାଉଥିଲେ। ସିନାପାଲୀ ବାବା ମଠା ରୋଡ୍ ନିକଟରେ ତିନିଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ଟ୍ରକ୍କୁ ଅଟକାଇଥିଲେ।
ଦୁର୍ବୃତ୍ତମାନେ ଟ୍ରକ୍ର କାଚ ଭାଙ୍ଗି ଛୁରୀ ଦେଖାଇ ଡ୍ରାଇଭରଙ୍କୁ ତଳକୁ ଟାଣି ଆଣିଥିଲେ। ତାଙ୍କଠାରୁ ନଗଦ ୨ ହଜାର ଟଙ୍କା ଲୁଟିନେବା ସହ ଆକ୍ରମଣ କରିଥିଲେ। ଜୀବନ ପ୍ରତି ବିପଦ ଅନୁଭବ କରି ଡ୍ରାଇଭର କ୍ଷେତ ଦେଇ ପଳାଇ ନିଜ ଜୀବନ ରକ୍ଷା କରିଥିଲେ। ପରେ ଦୁର୍ବୃତ୍ତମାନେ ଟ୍ରକ୍ର ବ୍ୟାଟେରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ସିନାପାଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଭରୁଆମୁଣ୍ଡା ଗ୍ରାମର ଗୁପ୍ତେଶ୍ୱର ଛତ୍ରିଆ ଓରଫ ଗୁପ୍ତେ (୨୩) ଏବଂ ଗୋଡାଳ ଗ୍ରାମର ନରେଶ କୁମାର ମାଝି (୨୫)ଙ୍କୁ ପୋଲିସ ଗିରଫ କରିଛି।ସେମାନଙ୍କଠାରୁ ଚୋରି ହୋଇଥିବା ଟ୍ରକ୍ ବ୍ୟାଟେରୀ ଏବଂ ଘଟଣାରେ ବ୍ୟବହୃତ OR-26-2530 ନମ୍ବର ବିଶିଷ୍ଟ ମୋଟରସାଇକେଲ ଜବତ ହୋଇଛି। ଘଟଣାର ଅନ୍ୟତମ ସହ-ଅଭିଯୁକ୍ତ ଝସ୍କେତନ ବନ୍ଦିଛୋର ଓରଫ ଲାଲ୍ ପୂର୍ବରୁ ସିନାପାଲୀ ଥାନା କେସ୍ ନଂ. ୨୫୨/୨୬ ମାମଲାରେ ଜେଲ୍ ହାଜତରେ ରହିଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି ଆଇନଗତ ପ୍ରକ୍ରିୟା ପରେ ମାନ୍ୟବର କୋର୍ଟଙ୍କୁ ଚାଲାଣ କରାଯାଇଛି। ରାତିର ଅନ୍ଧାରରେ ଘଟିଥିବା ଏହି ଘଟଣାରେ ପୋଲିସର ତଦନ୍ତ ଓ ତତ୍ପରତା ଯୋଗୁଁ ଅଭିଯୁକ୍ତମାନେ ଆଇନର ଜାଲରେ ପଡ଼ିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପୋଲିସ ପ୍ରତି ଭରସା ବଢ଼ିଛି।





