ନର୍ଲା ବ୍ଲକ୍‌ରେ ପ୍ରକାଶ-୩.୦ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଏ -୧ ସଫଳତା ସହ ୧୦୦ % ପାସ୍ ଲକ୍ଷ୍ୟରେ ସ୍ୱତନ୍ତ୍ର ପଦକ୍ଷେପ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଧ୍ୟମିକ ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କ ଉନ୍ନତ ପରୀକ୍ଷାଫଳ ଏବଂ ଶତପ୍ରତିଶତ ଉତ୍ତୀର୍ଣ୍ଣ ହାର ହାସଲ ଲକ୍ଷ୍ୟରେ ନର୍ଲା ବ୍ଲକ୍‌ରେ ପ୍ରକାଶ-୩.୦ ଅଧୀନରେ ପ୍ରଥମ ବ୍ଲକ୍‌ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବାକୁ ଥିବା ଦଶମ ଶ୍ରେଣୀର ଏ -୧ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶନ, ଶୈକ୍ଷିକ ରଣନୀତି ଏବଂ ପରୀକ୍ଷା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନୂତନ ଭାବେ ଯୋଗଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ନାଏକଙ୍କୁ ଉପସ୍ଥିତ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ ଜଣାଇଥିଲେ। ଜିଲ୍ଲା ସାଧନ କର୍ମୀ ତଥା ପର୍ଯ୍ୟବେକ୍ଷକ ଭାବେ ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡର ପ୍ରଧାନଶିକ୍ଷକ ସନ୍ତୋଷ କୁମାର କର ଏବଂ ପିଏମ୍ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲ, ଶାନ୍ତପୁରର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ୱେତାଲୀନ ପଧାନ ଯୋଗଦେଇ ଏ -୧ ଆଶାୟୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା, ନିୟମିତ ଅଭ୍ୟାସ, ବ୍ୟକ୍ତିଗତ ମାର୍ଗଦର୍ଶନ ଏବଂ ଶିକ୍ଷଣରେ ଥିବା ଦୁର୍ବଳତା ଦୂର କରିବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ଉପେନ୍ଦ୍ର ସୁନାନୀ, ଶ୍ରୀ ଅତୁଲ୍ୟ ପଧାନ ଓ ଶ୍ରୀ ତୁଷାରକାନ୍ତ ସାହୁଙ୍କ ସମେତ ବ୍ଲକ୍‌ର ସାଧନ ଶିକ୍ଷକ, ଏ -୧ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ହାଇସ୍କୁଲ, ନର୍ଲାର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଅହଲ୍ୟା ସାହୁ ପରିଚାଳନା କରିଥିଲେ। ନର୍ଲା ବ୍ଲକ୍‌ର ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି, ୧୦୦% ପାସ୍ ହାର ହାସଲ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍‌ରେ ସଫଳ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଶିକ୍ଷକ, ଅଭିଭାବକ ଓ ଶିକ୍ଷା ପ୍ରଶାସନର ସମନ୍ୱିତ ପ୍ରୟାସ ଦ୍ୱାରା ନର୍ଲା ବ୍ଲକ୍ ଶିକ୍ଷା କ୍ଷେତ୍ରରେ ନୂତନ ସଫଳତା ହାସଲ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.