ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟରେ ହୋହଲ୍ଲା କରିଛନ୍ତି ଲୋକେ।
ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ ଅବହେଳା ସହିତ ବିଭିନ୍ନ ଗାଁରେ ରାସ୍ତାଘାଟ ନିର୍ମାଣ, କେନାଲ ଖନନ, ପିଇବା ପାଣି ଯୋଗାଣରେ ସମସ୍ୟାକୁ ନେଇ ଲୋକେ ହୋହଲ୍ଲା କରିବା ସହ ତାଲା ପକାଇଦେବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀମୋହନ ପିଡ଼ିକା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିପରି ଘଟଣାସ୍ଥଳରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ ପହଞ୍ଚି ଅଭିଯୋଗକାରୀଙ୍କ ସହିତ ଆଲୋଚନା କରିଥିଲେ। ଅପରପକ୍ଷରେ ସରପଞ୍ଚ ସୁଶୀଳା ନାଏକ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହିତ କହିଛନ୍ତି, ଲୋକଙ୍କ ସମର୍ଥନରେ ମୁଁ ଚାରିଥର ସରପଞ୍ଚ ହେଲିଣି। ମୁଁ ଜଣେ ଆଦିବାସୀ ମହିଳା ହୋଇଥିବାରୁ ମୋତେ ସହି ନପାରି କିଛି ଲୋକ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।







