ଜଳେଶ୍ୱର ନାବାଳିକା ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ଥାନା ଅଧିକାରୀଙ୍କ ନିଲମ୍ବନ ସହ ୩ ଦଫା ଦାବି, ଅକ୍ଟୋବର ୩୦ ସୁଦ୍ଧା ତଦନ୍ତ ହସ୍ତାନ୍ତର ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ (ବିଜେଡି)ର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶନିବାର ବାଲେଶ୍ୱର ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ମାମଲାରେ ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ପୋଲିସର ଭୂମିକାର ଯାଞ୍ଚ ପାଇଁ ଦଳ ଦାବି କରିଛି। ବିଜେଡି ଟିମ୍ ପକ୍ଷରୁ ତିନୋଟି ପ୍ରମୁଖ ଦାବି ଉଠାଯାଇଛି। ପ୍ରଥମତଃ, ମାମଲାର ପରିଚାଳନାରେ ଅବହେଳା ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଜଳେଶ୍ୱର ଥାନା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। କେବଳ ବଦଳି ଯଥେଷ୍ଟ ନୁହେଁ ବୋଲି ଟିମ୍ ଦର୍ଶାଇଛି। ଦ୍ୱିତୀୟତଃ, ଅପରାଧରେ ସମ୍ପୃକ୍ତ ଥିବା, ସହଯୋଗ କରିଥିବା କିମ୍ବା ଘଟଣାକୁ ଲୁଚାଇବାରେ ସହାୟତା କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ପ୍ରମାଣ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତୃତୀୟତଃ, ମାମଲାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୦ ସୁଦ୍ଧା ତଦନ୍ତକୁ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଉ, ଯାହାଦ୍ୱାରା ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ସୁନିଶ୍ଚିତ ହୋଇପାରିବ। ଏଥିସହ ପୀଡ଼ିତାଙ୍କ ପରିଚୟ, ମର୍ଯ୍ୟାଦା ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନିଶ୍ଚିତ କରିବାକୁ ଟିମ୍ ଅନୁରୋଧ କରିଛି। ଦାବିଗୁଡ଼ିକ ପୂରଣ ନହେଲେ ବାଲେଶ୍ୱର ଏସ୍‌ପି କାର୍ଯ୍ୟାଳୟ ଘେରାଓ କରିବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।ବିଜେଡି ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଡଃ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉର୍ମିଳା ଦାସ, ଜିଲ୍ଲା ଉପସଭାପତି ରଞ୍ଜନ କୁମାର ବାଗ, କାର୍ଯ୍ୟକାରୀ ସଭାପତି ମୀନା ମହାନ୍ତି, ଛାତ୍ର ବିଜେଡି ସଭାପତି ହରେକୃଷ୍ଣ ପ୍ରଧାନ, ଯୁବ ଜନତା ଦଳ ସଭାପତି ତାପସ କୁମାର ପାଣିଗ୍ରାହୀଙ୍କ ସମେତ ଭାରତ ଭୂଷଣ ଦାସ, ଗଙ୍ଗାଧର ମିଶ୍ର, ସୁବୋଧ ମହାନ୍ତି ଓ ପ୍ରତାପ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.