ବିଧାୟିକା ସୁବାସିନୀ ଜେନାଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହେଲା ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଶୋଚନୀୟ ହୋଇପଡ଼ିଥିବା ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହୋଇଛି। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ହସ୍ତକ୍ଷେପ ଓ ତ୍ୱରିତ ପଦକ୍ଷେପ ପରେ ବିଭାଗୀୟ ପ୍ରଶାସନ ଏହି କାର୍ଯ୍ୟ ଆରମ୍ଭ କରିଛି।ବସ୍ତାରୁ ବାଲିଆପାଳକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାଟି ସ୍ଥାନୀୟ ଅଞ୍ଚଳର ଯାତାୟାତ ଓ ଗମନାଗମନ ପାଇଁ ଏକ ପ୍ରମୁଖ ଜୀବନରେଖା। ସମ୍ପ୍ରତି ପ୍ରବଳ ବର୍ଷା ଓ ବନ୍ୟା ପରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଥିଲା। ଏହାଦ୍ୱାରା ହଜାର ହଜାର ଯାତ୍ରୀ, ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀଙ୍କ ସମେତ ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକର ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଥିଲା। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ଜନସାଧାରଣଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଥିଲା। ଏହି ଗୁରୁତର ସମସ୍ୟାକୁ ଦୃଷ୍ଟିରେ ରଖି ବିଧାୟିକା ସୁବାସିନୀ ଜେନା ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ରାସ୍ତାର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହାପରେ ଶନିବାରଠାରୁ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ଦୁରବସ୍ଥା ଯୋଗୁଁ ଯାତାୟାତରେ ହଇରାଣ ହେଉଥିବା ଅଞ୍ଚଳବାସୀ ମରାମତି କାର୍ଯ୍ୟ ଆରମ୍ଭ ହେବା ପରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ ହେବା ସହ ଦୈନନ୍ଦିନ ଯାତାୟାତରେ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.