ନର୍ଲାରେ ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ: ଅଘୋରୀ ନୃତ୍ୟରେ ଝୁମିଲେ ଭକ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଙ୍ଗଳବାର ନର୍ଲା ଗଜଲକ୍ଷ୍ମୀ ପୂଜା ର ପୂର୍ଣ୍ଣାହୁତି ପଡିଲା। ବୁଧବାର ଅପରାହ୍ନ ୫ ଘଣ୍ଟା ସମୟରେ ଭବ୍ୟ ଶୋଭାଯାତ୍ରାରେ ଉପରପଡା, ବ୍ଲକ ଛକ ରୁ ନର୍ଲା ଛକ ଯାଏଁ ନଗର ପରିକ୍ରମା କରି ସ୍ଥାନୀୟ ରାଣିବନ୍ଧ ରେ ମାଆ ଙ୍କୁ ଭସାଣି କରିଛନ୍ତି ଭକ୍ତ ବୃନ୍ଦ। ଏନେଇ ଶନିବାର ସନ୍ଧ୍ୟାରେ ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଘଣ୍ଟ ଦଳ ସହ ଶତାଧିକ ମହିଳା ପୂର୍ଣ୍ଣ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ଏହାପରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା।  ରବିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଅରୁଣ ଦତ୍ତା ଓ ତାଙ୍କ ସହଧର୍ମିଣୀ ଗୀତା ଦତ୍ତା ରହିଥିଲେ।ବ୍ରହ୍ମା ପୂଜକ ଭାବରେ ପଣ୍ଡିତ ଜନାର୍ଦ୍ଦନ ପାଢୀ ଓ ଲମ୍ବୋଦର ପାଢୀ ଲକ୍ଷ୍ମୀ ପୂଜା ପରିଚାଳନା କରିଥିଲେ। ଶନିବାର କଳସ ଯାତ୍ରାରୁ ଆରମ୍ଭ ହୋଇଥିବା ନର୍ଲା ଗଜଲକ୍ଷ୍ମୀ ପୂଜା ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ପଡିଥିବା ବେଳେ ବୁଧବାର ସନ୍ଧ୍ୟା ସମୟରେ ଖୋଲାନ ର ଅଘୋରୀ ନୃତ୍ୟ ସହ ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଛି। ଅଘୋରୀ ନୃତ୍ୟରେ ବିଭୋର ହୋଇ ଝୁମିଥିଲେ ଶ୍ରଦ୍ଧାଳୁ ଭକ୍ତ। ନର୍ଲା ପୋଲିସ ଶୃଙ୍ଖଳା ରକ୍ଷା ପାଇଁ ମୁତୟନ ଥିଲେ। ଶାନ୍ତି ଶୃଙ୍ଖଳାରେ ସଫଳତାର ସହ ଗଜଲକ୍ଷ୍ମୀ ପୂଜା ସମାପନ ହୋଇଥିବାରୁ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ନର୍ଲା ଆଇଆଇସି କୈବଲ୍ୟ ସେଠ, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନୀରଜ ଶର୍ମା, ଯୁବନେତା ତଥା ସମାଜସେବୀ ସମୀର ଚାନ୍ଦ (ବିଟୁ) ପ୍ରମୁଖ ଗଜଲକ୍ଷ୍ମୀ ପୂଜା କମିଟି ନର୍ଲାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.