ଲାଞ୍ଜିଗଡ଼ର ସାମଗ୍ରିକ ବିକାଶ ନେଇ ଆଲୋଚନା, ସୌରଶକ୍ତିରେ ଯୁବ ଉଦ୍ୟୋଗୀ ଓ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ସାମଗ୍ରିକ ବିକାଶ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ସାମୂହିକ ପ୍ରୟାସ ଲକ୍ଷ୍ୟରେ ସେବା ଜଗତ ଅନୁଷ୍ଠାନ ପକ୍ଷରୁ ଲାଞ୍ଜି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଏକ ଆଲୋଚନା ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କୌଣସି ବ୍ୟକ୍ତି ଯେପରି ମୌଳିକ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଏହି ମଞ୍ଚ ମାଧ୍ୟମରେ ଲୋକଲୋଚନକୁ ଆଣି ତାର ସମାଧାନ ପାଇଁ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସେଲକୋ ଫାଉଣ୍ଡେସନ ପକ୍ଷରୁ ସୌରଶକ୍ତିର ବ୍ୟବହାର ଓ ଏହାର ବ୍ୟବସାୟିକ ସମ୍ଭାବନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ସୌରଶକ୍ତିକୁ ବିଭିନ୍ନ ବ୍ୟବସାୟ ତଥା ଦୈନନ୍ଦିନ ଜୀବନରେ ଉପଯୋଗ କରି କିପରି ନୂଆ ଉଦ୍ୟୋଗ ସୃଷ୍ଟି କରାଯାଇପାରିବ ଏବଂ ଏହା ମାଧ୍ୟମରେ ଯୁବକଯୁବତୀଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିବା ସହ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ମୁଖ୍ୟ ଅତିଥି ଭାବେ ବେନଗାଁ ସରପଞ୍ଚ ପୁରାନ ମାଝି ଓ ସମ୍ମାନିତ ଅତିଥି ଭାବେ ଲାଞ୍ଜି ନାଏବ ସରପଞ୍ଚ ଶାମ୍ବା ମାଝି ଯୋଗଦେଇଥିଲେ। ଏଥିରେ ଯୁବ ସାମ୍ବାଦିକ ମନୀଷ କୁମାର ମିଶ୍ର, ମିନକେତନ ପରୀଛା, କୈଳାଶ ମାଝୀ ଏବଂ ସେଲକୋ ଫାଉଣ୍ଡେସନର ପ୍ରୋଗ୍ରାମ କୋ-ଅର୍ଡିନେଟର ବିର୍ ସିଂ ମାଝୀ ଓ ଉଦୟନାଥ ମାଝି ଉପସ୍ଥିତ ଥିଲେ। ସେବା ଜଗତ ପକ୍ଷରୁ ପ୍ରଦୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶଙ୍କର ସୁନା, ଫୁଲମେ ମାଝୀ, କର୍ଣ୍ଣ ସାହୁଙ୍କ ସମେତ ଅନ୍ୟ ସହଯୋଗୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.