ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଧୁନିକ ଯୁଗରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଘାଟି ଓ ଦୁର୍ଗମ ଅଞ୍ଚଳରେ ଜିଓ ନେଟୱର୍କ ସେବାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଓ ମୋବାଇଲ୍ ନେଟୱର୍କ ଥାଇ ମଧ୍ୟ ଅନେକ ସ୍ଥାନରେ ଠିକ୍ ଭାବେ ଫୋନ୍ କଲ୍ ହୋଇପାରୁ ନାହିଁ ଏବଂ ଇଣ୍ଟରନେଟ୍ ସେବା ଅତ୍ୟନ୍ତ ଦୁର୍ବଳ ରହୁଥିବା ଅଭିଯୋଗ ହୋଇଛି। ଫଳରେ ଉପଭୋକ୍ତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଲାଞ୍ଜିଗଡ଼ ଏକ ଆଦିବାସୀ ବହୁଳ ତଥା ବଣପାହାଡ଼ ଘେରା ଅଞ୍ଚଳ।ବ୍ଲକର ୨୬ଟି ପଞ୍ଚାୟତର ଅନେକ ଗାଁରେ ମୋବାଇଲ୍ ନେଟୱର୍କ ସମସ୍ୟା ଲାଗି ରହିଛି। କେତେକ ସ୍ଥାନରେ ମୋବାଇଲରେ ନେଟୱର୍କ ଦେଖାଉଥିଲେ ମଧ୍ୟ ଫୋନ୍ କଲ୍ ଲାଗୁନାହିଁ କି ଇଣ୍ଟରନେଟ୍ ଠିକ୍ ଭାବେ କାମ କରୁନାହିଁ। ଏହା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ା, ଯୁବପିଢ଼ିଙ୍କ ଅନଲାଇନ୍ କାର୍ଯ୍ୟ, ଡିଜିଟାଲ ଦେଣନେଣ ସହ ସରକାରୀ ଯୋଜନା ସମ୍ପର୍କିତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାକୁ ନେଇ ସ୍ଥାନୀୟ ବେନଗାଁର ଯୁବକମାନେ ଜିଓ ନେଟୱର୍କ ସେବା ବିରୋଧରେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଛନ୍ତି। ଉପଭୋକ୍ତାମାନେ ନିୟମିତ ରିଚାର୍ଜ କରୁଥିଲେ ମଧ୍ୟ ଆବଶ୍ୟକ ସେବା ପାଇପାରୁ ନାହାଁନ୍ତି ବୋଲି କମ୍ପାନୀର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଦାବି, ଅଞ୍ଚଳରେ ନିରବଚ୍ଛିନ୍ନ ଫୋନ୍ କଲ୍ ଓ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରାଯାଉ। ଏହି ପରିପ୍ରେକ୍ଷୀରେ ଜିଓ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।





