ସୁଧୁରୁନି ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲର ସମସ୍ୟା

୬୫୦ ଶଯ୍ୟାର ଅତ୍ୟାଧୁନିକ ହସ୍ପିଟାଲ କିନ୍ତୁ ଶବ ବ୍ୟବଚ୍ଛେଦ ଗୃହରେ ଝୁଲୁଛି ତାଲା!

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜୀବନ ବଞ୍ଚାଇବା ପାଇଁ ଆଧୁନିକ ଚିକିତ୍ସା ସୁବିଧା, ମାତ୍ର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ଅନ୍ୟ ହସ୍ପିଟାଲର ଦ୍ୱାରସ୍ଥ ହେବାକୁ ପଡ଼ୁଛି। ୬୫୦ ଶଯ୍ୟା ବିଶିଷ୍ଟ ବିଶାଳ ହସ୍ପିଟାଲ, ଆଧୁନିକ ଭିତ୍ତିଭୂମି ଓ ମେଡିକାଲ କଲେଜର ମାନ୍ୟତା ଥାଇ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ନାହିଁ କାର୍ଯ୍ୟକ୍ଷମ ବ୍ୟବସ୍ଥା। ଏଭଳି ବିଡ଼ମ୍ବନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ। ହସ୍ପିଟାଲ ପରିସରରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ ମୃତକଙ୍କ ପରିବାରକୁ ମୃତ୍ୟୁର ଦୁଃଖ ସହିତ ଅତିରିକ୍ତ ଆର୍ଥିକ ଓ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି।

୨୦୧୮ ମସିହାରେ ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ଦାବି ପରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା। ଏହାଦ୍ୱାରା ଜିଲ୍ଲାବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବାର ଆଶା ସୃଷ୍ଟି ହୋଇଥିଲା। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ୨ ମାର୍ଚ୍ଚ ୨୦୨୪ରେ ୬୫୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ କୋଠାର ଲୋକାର୍ପଣ ହୋଇଥିଲା। ନୂତନ ଭିତ୍ତିଭୂମି, ଅଧିକ ଶଯ୍ୟା ଓ ଆଧୁନିକ ଚିକିତ୍ସା ସୁବିଧାକୁ ନେଇ ଜିଲ୍ଲାବାସୀଙ୍କ ଆଶା ଆହୁରି ବଢ଼ିଥିଲା। କିନ୍ତୁ ମେଡିକାଲ କଲେଜ ପ୍ରତିଷ୍ଠାର ପ୍ରାୟ ଆଠ ବର୍ଷ ଏବଂ ନୂତନ ହସ୍ପିଟାଲ କୋଠା ଉଦ୍‌ଘାଟନର ଅଢ଼େଇ ବର୍ଷ ପରେ ମଧ୍ୟ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ନହେବା ପ୍ରଶାସନିକ ଅବହେଳାର ଏକ ନମୁନା ବୋଲି ଅଭିଯୋଗ ହେଉଛି।

ଏହି ଅବ୍ୟବସ୍ଥାର ସିଧାସଳଖ ପ୍ରଭାବ ପଡ଼ୁଛି ସାଧାରଣ ଲୋକଙ୍କ ଉପରେ। ରେମୁଣା ମେଡିକାଲରେ କୌଣସି ରୋଗୀଙ୍କ ମୃତ୍ୟୁ ଘଟିଲେ କିମ୍ବା ଶବ ବ୍ୟବଚ୍ଛେଦର ଆବଶ୍ୟକତା ପଡ଼ିଲେ ମୃତଦେହକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡ଼ୁଛି। ଏଥିପାଇଁ ଅନେକ ସମୟରେ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ହେଉଛି। ଫଳରେ ମୃତଦେହ ପରିବହନ ପାଇଁ ପରିବାରବର୍ଗଙ୍କୁ ଅତିରିକ୍ତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ପ୍ରିୟଜନଙ୍କୁ ହରାଇ ଶୋକାକୁଳ ପରିବାର ପାଇଁ ଏହି ଖର୍ଚ୍ଚ ଆଉ ଏକ ଆର୍ଥିକ ବୋଝ ପାଲଟୁଛି।

କେବଳ ଆର୍ଥିକ ଖର୍ଚ୍ଚ ନୁହେଁ, ମୃତଦେହକୁ ନେଇ ଅନିଶ୍ଚିତତା ମଧ୍ୟରେ ଅପେକ୍ଷା କରିବାର ଯନ୍ତ୍ରଣା ମଧ୍ୟ ସମ୍ପର୍କୀୟଙ୍କୁ ଭୋଗିବାକୁ ପଡ଼ୁଛି। ଶବ ସଂରକ୍ଷଣ ଓ ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସ୍ଥାନୀୟ ସୁବିଧା ନଥିବାରୁ ଅନେକ ସମୟରେ ଆତ୍ମୀୟସ୍ୱଜନଙ୍କୁ ହସ୍ପିଟାଲ ପରିସରରେ ମୃତଦେହ ପାଖରେ ରାତିସାରା ଜଗି ରହିବାକୁ ପଡ଼ୁଛି। ଯେଉଁ ପରିବାର ନିଜ ଲୋକଙ୍କୁ ହରାଇ ଗଭୀର ଶୋକରେ ଥାଆନ୍ତି, ସେମାନଙ୍କୁ ଏଭଳି ଅସୁବିଧା ମଧ୍ୟରେ ଛାଡ଼ିଦେବା ସ୍ୱାସ୍ଥ୍ୟସେବାର ମାନବିକ ଦିଗ ପ୍ରତି ଗୁରୁତର ପ୍ରଶ୍ନ ଉଠାଇଛି।

ଏତେ ବଡ଼ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପରେ ମଧ୍ୟ ତାହା କାହିଁକି କାର୍ଯ୍ୟକ୍ଷମ ହୋଇପାରିନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ଆବଶ୍ୟକ ଡାକ୍ତର, ଫରେନସିକ୍ ବିଶେଷଜ୍ଞ, ଟେକ୍ନିସିଆନ୍ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ହୋଇନାହିଁ କି? ମୃତଦେହ ସଂରକ୍ଷଣ ପାଇଁ ଶୀତଳୀକରଣ ବ୍ୟବସ୍ଥା ଏବଂ ଆବଶ୍ୟକ ଯନ୍ତ୍ରପାତିର ଅଭାବ ରହିଛି କି? ଯଦି ଏସବୁ ବ୍ୟବସ୍ଥାର ଅଭାବ ରହିଛି, ତେବେ ଏହାର ସମାଧାନ ପାଇଁ ଏଯାଏଁ କାହିଁକି ପଦକ୍ଷେପ ନିଆଯାଇନାହିଁ? ଏହାର ଉତ୍ତରଦାୟିତ୍ୱ ମେଡିକାଲ କଲେଜ ଅଧ୍ୟକ୍ଷଙ୍କର, ହସ୍ପିଟାଲ ଅଧୀକ୍ଷକଙ୍କର ନା ସ୍ୱାସ୍ଥ୍ୟ ବିଭାଗର? ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସମାଧାନ ପାଇଁ ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ପ୍ରଶାସନିକ ତତ୍ପରତା ଉପରେ ପ୍ରଶ୍ନ ଉଠିଛି।

ସ୍ୱାସ୍ଥ୍ୟସେବାର ଅର୍ଥ କେବଳ ନୂଆ କୋଠା ନିର୍ମାଣ, ଶଯ୍ୟା ସଂଖ୍ୟା ବୃଦ୍ଧି କିମ୍ବା ଉଦ୍‌ଘାଟନ ଉତ୍ସବ ନୁହେଁ। ରୋଗୀଙ୍କ ଚିକିତ୍ସା ସହିତ ମୃତ୍ୟୁ ପରେ ମୃତଦେହର ସମ୍ମାନଜନକ ପରିଚାଳନା ମଧ୍ୟ ଏକ ସୁସ୍ଥ ଓ ସମ୍ବେଦନଶୀଳ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଂଶ। ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଲୋକାର୍ପଣ କରିବାରେ ସରକାର ଓ ପ୍ରଶାସନ ସକ୍ଷମ ହୋଇଥିବାବେଳେ ଏହାର ଶବ ବ୍ୟବଚ୍ଛେଦ ଗୃହକୁ କାର୍ଯ୍ୟକ୍ଷମ କରିବାରେ ଏତେ ବିଳମ୍ବ କାହିଁକି, ତାହାର ଜବାବ ଜିଲ୍ଲାବାସୀ ଚାହୁଁଛନ୍ତି। ତେଣୁ ତୁରନ୍ତ ଶବ ବ୍ୟବଚ୍ଛେଦ ଗୃହକୁ କାର୍ଯ୍ୟକ୍ଷମ କରିବା, ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ମୃତଦେହ ସଂରକ୍ଷଣ ପାଇଁ ଶୀତଳୀକରଣ ବ୍ୟବସ୍ଥା ଏବଂ ଆବଶ୍ୟକ ଯନ୍ତ୍ରପାତି ଯୋଗାଇଦେବା ସହିତ ସରକାରୀ ଶବ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି ହେଉଛି। ନଚେତ୍ ରେମୁଣାର ୬୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲରେ ତାଲା ପଡ଼ିଥିବା ଶବ ବ୍ୟବଚ୍ଛେଦ ଗୃହ ହିଁ ସ୍ୱାସ୍ଥ୍ୟସେବାର ବିକାଶ ଦାବିକୁ ପ୍ରଶ୍ନବାଚୀ କରି ରଖିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.