ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯୁବ ପ୍ରତିଭାର ବିକାଶ, ସୃଜନଶୀଳତା ଓ କଳାନୈପୁଣ୍ୟର ପ୍ରଦର୍ଶନ ପାଇଁ ଆୟୋଜିତ ଦୁଇଦିନିଆ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଗୁରୁବାର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସଫଳତାର ସହ ଉଦ୍ଯାପିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।
ଉଦ୍ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦ୍ଯାପନ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ମହାନ୍ତି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ଯୋଗଦେଇ ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭା, ଉତ୍ସାହ ଓ ସୃଜନଶୀଳତାର ଉଚ୍ଚ ପ୍ରଶଂସା କରିଥିଲେ।
ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ଆକର୍ଷଣୀୟ ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ଦୁଇଟି ଦଳ ଆଗାମୀ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ବାଲେଶ୍ୱର ଜିଲ୍ଲାର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ ବୋଲି ଘୋଷଣା କରାଯାଇଥିଲା।
ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉତ୍ସବର ସୁପରିଚାଳନା ଓ ସଂଯୋଜନା କରିଥିଲେ। ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଏବଂ ବୃହତ୍ତର ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବାରେ ଏହି ଯୁବ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି।





