ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଉପର କାଲସୁର ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗାଁରେ ପଶି ହାତୀପଲ ବହୁ ଚାଷ ଜମିରେ ପଶି ଫସଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଫଳରେ ଚାଷୀଙ୍କ ବର୍ଷକର ପରିଶ୍ରମ ମାଟିରେ ମିଶିଯାଇଛି। ହାତୀ ଉପଦ୍ରବରେ ଶ୍ରବଣ ମାଝୀ, କନ୍ଦ୍ରା ମାଝୀ, ଦାନା ମାଝୀ, ଲକଣା ମାଝୀ, ଗୋରା ମାଝୀ ଓ ସୁଲପୁୟୁ ମାଝୀଙ୍କ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ଚାଷୀମାନେ ବନ ବିଭାଗକୁ ଜଣାଇଛନ୍ତି। ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଉଥିବା ଜଣାପଡିଛି। ହାତୀ ଘଉଡାଇବା ପାଇଁ ଏଲିଫାଣ୍ଟ ସ୍କ୍ୱାଡକୁ ସକ୍ରିୟ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।ଚାଷୀମାନେ ଦିନରାତି ପରିଶ୍ରମ କରି ଫସଲ ଉତ୍ପାଦନ କରୁଥିବା ବେଳେ ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ ହେବା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ବନ ବିଭାଗ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।






