ମାଛକୁଣ୍ଡରେ ୪ ଅଭିଯୁକ୍ତ ଗିରଫ, ବୋଲେରୋ ସହ ୩ ମୋବାଇଲ ଜବତ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଚେର ଉପାଡ଼ିବାକୁ କୋରାପୁଟ ଜିଲ୍ଲାରେ ପୁଲିସର ଅଭିଯାନ ଜୋରଦାର ହୋଇଛି। ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଲୋକଙ୍କ ପାଇଁ ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଏକ କଡ଼ା ସତର୍କବାଣୀ ସଦୃଶ। ମାଛକୁଣ୍ଡ ଓ ପଡୁଆ ଥାନା ପୁଲିସର ପୃଥକ ଅଭିଯାନରେ ୧୧୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହେବା ସହ ୬ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ମାଛକୁଣ୍ଡ ଥାନା ପୁଲିସ ଏକ ଏନ୍ଡିପିଏସ୍ ମାମଲାରେ ଚଢ଼ାଉ କରି ୧୧୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହାସହ ଚୋରା ଚାଲାଣରେ ବ୍ୟବହୃତ ଗୋଟିଏ ମହିନ୍ଦ୍ରା ବୋଲେରୋ ଓ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।
ସେହିପରି ପଡୁଆ ଥାନା ପୁଲିସ ପୁଲିକୋଣ୍ଡା ନିକଟରେ ଚଢ଼ାଉ କରି ପ୍ରାୟ ୬ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୬ ହଜାର ଗଞ୍ଜେଇ ଗଛ ଠାବ କରିଥିଲା। ପରେ ସମସ୍ତ ଗଛକୁ ଉପାଡ଼ି ନଷ୍ଟ କରାଯାଇଥିଲା।

ତେବେ ଜିଲ୍ଲାରେ କେବଳ ଗଞ୍ଜେଇ ଗଛ ନଷ୍ଟ କିମ୍ବା ଚାଲାଣ ସମୟରେ ଜବତ କରିବାରେ ଅଭିଯାନ ସୀମିତ ନ ରହି, ଏହି ବେଆଇନ କାରବାର ପଛରେ ଥିବା ମୁଖ୍ୟ କାର୍ପଟଦାର, ଅର୍ଥ ଯୋଗାଣକାରୀ ଓ ଚାଲାଣ ନେଟୱର୍କକୁ ଚିହ୍ନଟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପୁଲିସର ଏହି ଅଭିଯାନ କେତେଦୂର ଗଞ୍ଜେଇ କାରବାରର ମୂଳୋତ୍ପାଟନ କରିପାରୁଛି, ତାହା ଆଗାମୀ ଦିନରେ ଦେଖିବାକୁ ରହିଲା।





