ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାର ନୂତନ ପୋଲିସ ଆରକ୍ଷୀ ଅଧିକ୍ଷକ (ଏସ୍.ପି.) ଭାବେ ତପନ ନାରାୟଣ ରଥ ଆଜି ଯୋଗଦାନ କରିଛନ୍ତି। ଯୋଗଦାନ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ ପ୍ରଶାସନର କାର୍ଯ୍ୟପନ୍ଥା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସମ୍ମିଳନୀରେ ଏସ୍.ପି. ଶ୍ରୀ ରଥ ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ, ସାଧାରଣ ଜନତା ପୋଲିସକୁ ନିଜର ବନ୍ଧୁ ଭାବେ ଭାବିବେ ଏବଂ ନିର୍ଭୟରେ ନିଜର ଅଭିଯୋଗ ଜଣାଇବେ। ସେହିପରି ଆବଶ୍ୟକତା ଥିବା ପ୍ରକୃତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବା ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପୋଲିସ ବାହିନୀ ପ୍ରୟାସ ଜାରି ରଖିବ। ଜିଲ୍ଲାରୁ ଅପରାଧ ଓ ଅସାମାଜିକ କାର୍ଯ୍ୟକୁ ଦୂର କରିବା ସମ୍ପର୍କରେ କଡ଼ା ଚେତାବନୀ ଦେଇ ସେ ପ୍ରକାଶ କରିଛନ୍ତି ଯେ, ଯେକୌଣସି ଅସାମାଜିକ ବ୍ୟକ୍ତି କିମ୍ବା ବେଆଇନ କାର୍ଯ୍ୟରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ବିନା କୌଣସି ବାଧାରେ ଦୃଢ଼ରୁ ଦୃଢ଼ତମ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲାବାସୀଙ୍କୁ ଏକ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ପରିବେଶ ଯୋଗାଇ ଦେବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।





