ଉଦଯାପିତ ହେଲା ମହାବୀର ମହୋତ୍ସବ

ଭୁପିନ୍ଦର ସିଂହଙ୍କୁ ମହାବୀର ସମ୍ମାନ

ଗାଳ୍ପିକ ରଞ୍ଜନ ପ୍ରଧାନଙ୍କୁ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ

ପ୍ରଭାକର ପାତ୍ରଙ୍କୁ ନାଟ୍ୟରଶ୍ମୀ ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସପ୍ତାହ ବ୍ୟାପି ଚାଲିଥିବା ରାଜ୍ୟସ୍ତରୀୟ ମହାବୀର ମହୋତ୍ସବ-୨୦୨୬ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଭୁପିନ୍ଦର ସିଂହ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଡ. ନିବେଦିତା ନାଥ, ସଂସ୍କୃତି ସଂଗଠକ ତଥା ଅନୁଷ୍ଠାନର ପୂର୍ବତନ ସଭାପତି ଜୟନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହ ପରେ ପରେ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନର ସର୍ବୋଚ୍ଚ ମହାବୀର ସମ୍ମାନ-୨୦୨୬ ରାଜନେତା ତଥା କ୍ରୀଡ଼ାବିତ ଭୁପିନ୍ଦର ସିଂହଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଗାଳ୍ପିକ ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ରାଜ୍ୟସ୍ତରୀୟ ନାଟ୍ୟରଶ୍ମି ପ୍ରଫୁଲ୍ଲ କୁମାର ରଥ ନାଟ୍ୟ ସମ୍ମାନ ପ୍ରଭାକର ପାତ୍ର, କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ଶୁଭଲକ୍ଷ୍ମୀ ଦାଶ ଓ ପଦ୍ମା ଷଡ଼ଙ୍ଗୀ ସୁଗୃହିଣୀ ସମ୍ମାନ ଗୀତାଞ୍ଜଳି ପଟ୍ଟନାୟକ, ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ କୃତୀ ସଭ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ସଞ୍ଜୀବ କୁମାର ସିଂହ ସଭା ପରିଚାଳନା ଓ ସଞ୍ଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପୂର୍ବରୁ ଅପରାହ୍ନରେ ୦ରୁ ୩ ବର୍ଷ ବୟସର ଶିଶୁମାନଙ୍କୁ ନେଇ ମହାବୀର ଶିଶୁ ଶ୍ରୀ ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ସଭା ପରେ ପରେ ଜାତୀୟ ସ୍ତରୀୟ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ବଲାଙ୍ଗୀରର କଳାକାରମାନଙ୍କ ଦ୍ୱାରା ପରିବେଷିତ ଦଣ୍ଡନୃତ୍ୟକୁ ଦର୍ଶକ ମାନେ ରାତିତମାମ ଉପଭୋଗ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମହାବୀର ସାଂସ୍କୃତିକ ଅନୁଷ୍ଠାନର ୬୨ତମ ଜନ୍ମ ବାର୍ଷିକୀ ତଥା ମହାବୀର ମହୋତ୍ସବକୁ ଲେଖକ ଓ ରାଜନେତା ଏବଂ ଏଇ ନିକଟରେ ଦେହତ୍ୟାଗ କରିଥିବା ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ରାସବିହାରୀ ବେହେରାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.