ଘଣ୍ଟମାଲ ୟୁପି ସ୍କୁଲରେ ଝୁଲିଲା ତାଲା

ନର୍ଲା ବ୍ଲକରେ ଉତ୍କଟ ଶିକ୍ଷକ ଅଭାବ ସମସ୍ୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଅନେକ ସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଛି। ସମାଧାନ କରି ପାରୁ ନାହାନ୍ତି ସରକାର। ବୁଧବାର ଶିକ୍ଷକ ସମସ୍ୟା ନେଇ ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ମାରି ଧାରଣାରେ ବସିଛନ୍ତି ଅଭିଭାବକ, ଅଭିଭାବିକା ଓ ପରିଚାଳନା ସମିତି ସଦସ୍ୟ/ସଦସ୍ୟା। ସୂଚନା ଅନୁଯାୟୀ, ୪ ଜଣ ଶିକ୍ଷୟତ୍ରୀ ଓ ଜଣେ ପ୍ରଧାନ ଶିକ୍ଷକ ଏଭଳି ୫ ଜଣ ଶିକ୍ଷକ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ୯ ଗୋଟି ଶ୍ରେଣୀର ୧୩୯ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ହେଲେ ଗତ ସପ୍ତାହରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଗୁଣ୍ଡିଚାରାଣୀ ବାଡତ୍ୟା ପ୍ରସୁତି ଛୁଟି ନେଇ ଚାଲିଗଲେ। ଏହାପରେ ତାଙ୍କ ପାରିବାରିକ କାରଣକୁ ନେଇ ପ୍ରଧାନ ଶିକ୍ଷକ ଦାଇତ୍ୱରେ ରହିଥିବା ସୁଜିତ ପଣ୍ଡା ମଧ୍ୟ ୧୫ ଦିନ ପାଇଁ ମେଡିକାଲ ଛୁଟି ନେଇ ଚାଲିଗଲେ। ଏବଂ ଇତି ମଧ୍ୟରେ ତାଙ୍କୁ ଶିକ୍ଷା ବିଭାଗ ଅନ୍ୟତ୍ର କୌଣସୀ ସ୍କୁଲରେ ନିଯୁକ୍ତି ଦେଇଥିବା ଜଣାପଡିବା କଥା ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ସୂଚନା ଦେଇଛନ୍ତି। ବିଦ୍ୟାଳୟରେ ଏଭଳି ପରିସ୍ଥିତି ଥିବା ବେଳେ ନିଜ ସ୍ୱାସ୍ଥ୍ୟଗତ କାରଣରୁ ବିଦ୍ୟାଳୟର ଅନ୍ୟତମ ସହକାରୀ ଶିକ୍ଷୟତ୍ରୀ ଜୟଶ୍ରୀ ଗୋଚ୍ଛାୟତ ମଧ୍ୟ ଛୁଟି ନେଇ ଚାଲିଯାଇଥିବା ଜଣାପଡିଛି। ଏବେ ବିଦ୍ୟାଳୟକୁ ନୂଆ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଆସି ଯୋଗଦାନ କରିଛନ୍ତି ସସ୍ମୀତା ପଣ୍ଡା। ଏବେ ମାତ୍ର ଦୁଇଜଣ ଶିକ୍ଷୟତ୍ରୀରେ ଚାଲିଛି ବିଦ୍ୟାଳୟ। ବିଦ୍ୟାଳୟରେ ଶିକ୍ଷାଦାନ ହେବ କଣ ଛାତ୍ରଛତ୍ରୀଙ୍କୁ ୫ ଦିନ ହେଲା ଜଗିକି ବସୁଛନ୍ତି ଦୁଇ ଶିକ୍ଷୟତ୍ରୀ। ପାଠପଢାର ନାଁ ଗନ୍ଧ ନାହିଁ। ନିଜ ପ୍ରିୟ ବିଦ୍ୟାଳୟର ଏଭଳି ପରିସ୍ଥିତି ଦେଖି ପରିଚାଳନା ସମିତିର ସଭାପତି ମନୋଜ କୁମାର ସା, ସମସ୍ତ ସଦସ୍ୟ ସଦସ୍ୟା ଓ ଘଣ୍ଟମାଳ ସରପଞ୍ଚ ଶ୍ରୀ ସା ଜରୁରୀ କାଳୀନ ବୈଠକ ଡାକି ବିଦ୍ୟାଳୟରେ ଆବଶ୍ୟକ ପରିମାଣରେ ଶିକ୍ଷକ ନିଯୁକ୍ତି ନଦେବା ଯାଏଁ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ନିଷ୍ପତି ନେଇ ବୁଧବାର ସକାଳୁ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ମାନଙ୍କୁ ନେଇ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷେ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ନ ହେଉ ବୋଲି ଗାଁ ର ଅଙ୍ଗନୱାଡି କେନ୍ଦ୍ରରେ ଯୁବ ସ୍ୱେଚ୍ଛାସେବୀ ବସନ୍ତ ସା ଓ ସୁଦାମ ପଧାନ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ମଧୁସ୍ମିତା ନାଏକ ଓ ଏବିଇଓ ଗୋବର୍ଦ୍ଧନ ମାଝୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଘଣ୍ଟମାଳ ୟୁପି ସ୍କୁଲର କମିଟି ସଦସ୍ୟ ଓ ଅଭିଭାବକଙ୍କ ଏକା ଦାବୀ ୯ ଗୋଟି କ୍ଲାସ ପାଇଁ ୮ ଜଣ ଶିକ୍ଷକ ଦେଉ ଶିକ୍ଷା ବିଭାଗ। ଖବର ଲେଖାଯିବା ପର୍ଯ୍ୟନ୍ତ ସ୍କୁଲରେ ଧାରଣା ଚାଲିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.