ସାମ୍ବାଦିକଙ୍କ ଅନୁପସ୍ଥିତି ପଛର କାରଣ ଖୋଜିବ କିଏ? ପ୍ରଶାସନ-ସାମ୍ବାଦିକ ସମନ୍ୱୟକୁ ନେଇ ଉଠିଲା ପ୍ରଶ୍ନ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଜାତୀୟ ପ୍ରେସ୍ ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ଆୟୋଜନ, କିନ୍ତୁ ଉପସ୍ଥିତି ମାତ୍ର ୩୦ ସାମ୍ବାଦିକ! କୋରାପୁଟ ଜିଲ୍ଲାରେ ୨୦୦ରୁ ଅଧିକ ସାମ୍ବାଦିକ କାର୍ଯ୍ୟରତ ଥିବାବେଳେ ଏତେ କମ୍ ସଂଖ୍ୟକ ସାମ୍ବାଦିକଙ୍କ ଉପସ୍ଥିତି ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସଦ୍ଭାବନା ସଭାଗୃହରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। କୋରାପୁଟ ସଦର, ଦାମନଯୋଡ଼ି ଓ ଜୟପୁର ସମେତ ବିଭିନ୍ନ ଅଞ୍ଚଳରୁ ମୋଟ ପ୍ରାୟ ୩୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ। ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗ ମୁଖ୍ୟ ଡାକ୍ତର ସୌରଭ ଗୁପ୍ତା ଯୋଗଦେଇଥିଲେ। ତେବେ ଏଠାରେ ମୁଖ୍ୟ ପ୍ରଶ୍ନ ହେଉଛି, ଜିଲ୍ଲାରେ ୨୦୦ରୁ ଅଧିକ ସାମ୍ବାଦିକ ଥିବା ସତ୍ତ୍ୱେ ଅଧିକାଂଶ କାହିଁକି ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଲେ? ଏହା କେବଳ ନିମନ୍ତ୍ରଣର ଅଭାବ ନା ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ଦୀର୍ଘଦିନର ଯୋଗାଯୋଗ ଓ ସମନ୍ୱୟ ଅଭାବ ଏହାର କାରଣ? ସାମ୍ବାଦିକ ମହଲରେ ସମୟୋଚିତ ନିମନ୍ତ୍ରଣ ନମିଳିବା, ବର୍ଷତମାମ ସୂଚନା ଆଦାନପ୍ରଦାନରେ ଅସୁବିଧା ଏବଂ ସାମ୍ବାଦିକଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆନଯିବା ନେଇ ଅସନ୍ତୋଷ ଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ, ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିବା କୁହାଯାଇଛି। ଯଦି ନିମନ୍ତ୍ରଣ କରାଯାଇଥିଲା, ତେବେ ଏତେ ବଡ଼ ସଂଖ୍ୟାରେ ସାମ୍ବାଦିକ ଅନୁପସ୍ଥିତ ରହିବାର କାରଣ କ’ଣ? ଏହାର ଆତ୍ମସମୀକ୍ଷା କରିବାକୁ ପ୍ରଶାସନ ପ୍ରସ୍ତୁତ କି? କେବଳ ପ୍ରେସ୍ ଦିବସ ପାଳନ କରିଦେଲେ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠିବ ନାହିଁ। ସାମ୍ବାଦିକଙ୍କ ସମସ୍ୟା ଶୁଣିବା, ନିୟମିତ ସୂଚନା ଆଦାନପ୍ରଦାନ ଓ ପାରସ୍ପରିକ ସମ୍ମାନ ହିଁ ଏହି ସମ୍ପର୍କକୁ ମଜବୁତ କରିପାରିବ। ତେଣୁ ସାମ୍ବାଦିକଙ୍କ ଅନୁପସ୍ଥିତିକୁ ନେଇ କେବଳ ଚର୍ଚ୍ଚା ନକରି ଏହାର ପ୍ରକୃତ କାରଣ ଖୋଜିବା ଏବେ ଜିଲ୍ଲା ପ୍ରଶାସନ ପାଇଁ ଏକ ଆହ୍ୱାନ।





