ଚାପସିଲ ଚର୍ଚ୍ଚର ଶତବାର୍ଷିକ ଜୁବଲୀ ଉତ୍ସବ: ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହେଲା ଗାଁ, ପ୍ରାର୍ଥନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ଓ଼ଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଆସ୍ଥା, ବିଶ୍ୱାସ ଓ ଭାଇଚାରାର ଅନନ୍ୟ ମିଳନର ସାକ୍ଷୀ ହୋଇଛି କୋରାପୁଟ ଜିଲ୍ଲାର ଚାପସିଲ ଗ୍ରାମ। ସ୍ଥାନୀୟ ଚର୍ଚ୍ଚର ଶତବାର୍ଷିକ ଜୁବଲୀ ଉତ୍ସବ ଅବସରରେ ରବିବାର ଗ୍ରାମରେ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଗାଁ ବାହାରେ ରହୁଥିବା ଅନେକ ଗ୍ରାମବାସୀ ଏହି ଅବସରରେ ନିଜ ଜନ୍ମମାଟିକୁ ଫେରି ଏକାଠି ହୋଇଥିଲେ। ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ମିଳନ ଉତ୍ସବକୁ ଅଧିକ ସ୍ମରଣୀୟ କରିଥିଲା। ଏହି ଧାର୍ମିକ ସମାବେଶରେ ମୁଖ୍ୟ ଅତିଥି ଭାବେ JELCର ମୁଖ୍ୟ ବିଶପ୍ ରାଇଟ୍ ରେଭରେଣ୍ଡ ଅନନ୍ତ କୁମାର ନାଗ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିନୋଡ୍ ଚେୟାରମ୍ୟାନ୍ ବିଭୂତି ପାଣି, ସମ୍ପାଦକ ଲାଲୁ ତୁଷାର ବାଘ ଓ କୋଷାଧ୍ୟକ୍ଷ ବିରୋଜ କୁମାର ବେନିଆ ଉପସ୍ଥିତ ଥିଲେ। ଏଥିସହ ପ୍ରଧାନ ମଣ୍ଡଳୀର ପରିଚାଳକ, ସ୍ଥାନୀୟ ପାଳକ, ବିଭିନ୍ନ ଚର୍ଚ୍ଚର ପାଳକ ଓ ପ୍ରାଚୀନମାନେ ଉତ୍ସବରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଚର୍ଚ୍ଚର ପ୍ରାଚୀନ ବସନ୍ତ ନଧି ଖୋସଲା ଚର୍ଚ୍ଚର ଇତିହାସ ଓ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ସୂଚନା ଅନୁଯାୟୀ, 1926 ମସିହା ରେ ରେ ମାତ୍ର ୭ଟି ପରିବାରକୁ ନେଇ ଏହି ଗୀର୍ଜାର ଆରମ୍ଭ ହୋଇଥିଲା। ଅଳ୍ପ କିଛି ପରିବାରର ଆସ୍ଥା ଓ ସମର୍ପଣରୁ ଆରମ୍ଭ ହୋଇଥିବା ଏହି ମଣ୍ଡଳୀ ଆଜି ଏକ ବୃହତ୍ ବିଶ୍ୱାସୀ ପରିବାରରେ ପରିଣତ ହୋଇଥିବା ସେ ପ୍ରକାଶ କରିଥିଲେ। ଉତ୍ସବ ଅବସରରେ ସ୍ୱତନ୍ତ୍ର ଉପାସନା, ପ୍ରାର୍ଥନା ଓ ଧାର୍ମିକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ଖ୍ରୀଷ୍ଟିୟ ଭଜନ, ନୃତ୍ୟ ଓ ନାଟକ ସମେତ ବିଭିନ୍ନ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଉତ୍ସବର ଶେଷରେ ସମସ୍ତଙ୍କ ପାଇଁ ସାମୂହିକ ଭୋଜିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜଗଦୀଶ ଖୋସଲା ପରିଚାଳନା କରିଥିବାବେଳେ ଏହାର ସଫଳ ଆୟୋଜନରେ ଚର୍ଚ୍ଚ କମିଟି, ଯୁବକ ସଂଗଠନ ଓ ମହିଳା ସଂଗଠନର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.