ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବ୍ଲକର ବେହେରାଗୁଡ଼ା ଠାରେ ଦଣ୍ଡପାଟ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସଂଘର ସାଙ୍ଗଠନିକ କାର୍ଯ୍ୟକଳାପ, ସାମ୍ବାଦିକମାନଙ୍କ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ଆଲୋଚନା ହେବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲଙ୍କୁ ସଂଘର ସଭାପତି ଭାବେ ଚୟନ କରାଯାଇଥିବାବେଳେ ସୋଭିତ ଗାନ୍ଧୀ ଓ ନିରାକାର ଗୋପାଳଙ୍କୁ ଉପସଭାପତି, ସୁଧୀର ଗୋପାଳଙ୍କୁ ସମ୍ପାଦକ, ଖଗପତି ନାଏକ, କାମେଶ ନାଗ, ହୃଷି ଗୋପାଳଙ୍କୁ ସହସମ୍ପାଦକ ଭାବେ ମନୋନୀତ କରାଯାଇଛି। ସେହିପରି ସେତୁରାମ ଭକ୍ତଙ୍କୁ କୋଷାଧ୍ୟକ୍ଷ ଏବଂ ଯଦୁମଣି ଦୁର୍ଗାଙ୍କୁ ସହ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। କାର୍ଯ୍ୟକାରୀ ସଦସ୍ୟ ଭାବେ ଚିତ୍ତରଞ୍ଜନ ନାଏକ, ଦିଲୀପ ଦୁରିଆ, ପ୍ରଦୀପ ସେଠିଆ, ଉଦିତ ଠାକୁର, କ୍ଷେତ୍ରମୋହନ ନାଗ, କୃଷ୍ଣଚନ୍ଦ୍ର ଦୁର୍ଗାଙ୍କୁ ଚୟନ କରାଯାଇଛି। ବୈଠକରେ ସାମ୍ବାଦିକତାର ମୌଳିକ ଦାୟିତ୍ୱ ଓ ନୈତିକ କର୍ତ୍ତବ୍ୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ‘ଧର୍ମ’ କୌଣସି ଧାର୍ମିକ ଧାରଣା ନୁହେଁ; ବରଂ ଏହା ସାମ୍ବାଦିକତାର ପେସାଗତ ଆଦର୍ଶ ଓ ନୈତିକ ପ୍ରତିଶ୍ରୁତି ବୋଲି ମତ ପ୍ରକାଶ ପାଇଥିଲା।ସତ୍ୟ ଓ ତଥ୍ୟ ଯାଞ୍ଚ କରି ଖବର ପ୍ରକାଶ କରିବା, ଭୁଲ ତଥ୍ୟ ଥିଲେ ତାହାର ସଂଶୋଧନ କରିବା, ବ୍ୟକ୍ତିଗତ, ରାଜନୈତିକ କିମ୍ବା ବ୍ୟବସାୟିକ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ନିରପେକ୍ଷ ଭାବେ ଘଟଣାକୁ ଉପସ୍ଥାପନ କରିବା ସାମ୍ବାଦିକଙ୍କ ମୁଖ୍ୟ ଦାୟିତ୍ୱ ବୋଲି ଆଲୋଚନାରେ କୁହାଯାଇଥିଲା।ଏଥିସହ ସମାଜର ଅସୁବିଧା, ଅନ୍ୟାୟ, ଅବହେଳା ଓ ଜନସାଧାରଣଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା, ସରକାର, ବିଭିନ୍ନ ପ୍ରତିଷ୍ଠାନ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ କାର୍ଯ୍ୟକୁ ପ୍ରଶ୍ନ କରି ଜବାବଦିହିତା ନିଶ୍ଚିତ କରିବା ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।ନୂତନ କର୍ମକର୍ତ୍ତାମାନେ ସଂଘର ଏକତା, ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଓ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ନିରପେକ୍ଷ ଭାବେ ସାମ୍ନାକୁ ଆଣିବା ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିବା ଜଣାପଡ଼ିଛି।





