ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ଅବସରରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ‘ଶ୍ରୀରାଧାଙ୍କ ପାଦ ଦର୍ଶନ’ ଅନୁଷ୍ଠିତ ହୋଉଛି। ଏନେଇ ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇଉଠିଛି। ନଭେମ୍ବର ୧୮ ବୁଧବାର ସକାଳୁ ମନ୍ଦିରରେ ଉପାସିତ ରାଧାରାଣୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରିଥିଲେ। ଗୋପୀ ଶ୍ରେଷ୍ଠା, ପ୍ରଭୁ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି ସ୍ୱରୂପା, ମହାପ୍ରଭୁଙ୍କ ଆନନ୍ଦ ସ୍ୱରୂପା ରାଧାରାଣୀଙ୍କ ପାଦ ଦର୍ଶନ କରି ଭକ୍ତଗଣ ଭାବ ସମୁଦ୍ରରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ବର୍ଷସାରା ବସ୍ତ୍ର ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କର ପାଦପଦ୍ମ ଯୁଗଳକୁ ବର୍ଷକେ ଥରେ ନବମୀ ଦିନ ଭକ୍ତ ମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି।





