ମୃତକଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କା ସହାୟତା ଦାବି, ବାଲେଶ୍ୱରରେ ଭକ୍ତଚରଣ ଦାସଙ୍କୁ ଦଳିତ କଂଗ୍ରେସର ଭବ୍ୟ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୀଳଗିରିର ୧୨ ବର୍ଷୀୟ ନାବାଳକ ଆଦିବାସୀ ଛାତ୍ର ଦିନେଶ ବାଗସିଂଙ୍କ ନିର୍ମମ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କଠୋର ସମାଲୋଚନା କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ। ଏହି ଅମାନବୀୟ ଘଟଣାରେ ମୃତ ନାବାଳକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରିବାରକୁ ନ୍ୟାୟ ଓ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି।ବାରିପଦା ଗସ୍ତରେ ଯିବା ଅବସରରେ ବାଲେଶ୍ୱରର ପ୍ରବେଶପଥ କୁରୁଡ଼ା ବାଇପାସ୍ ଛକଠାରେ ଜିଲ୍ଲା ଦଳିତ କଂଗ୍ରେସ ସଭାପତି ବିଧାନ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶ୍ରୀ ଦାସଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ନୀଳଗିରିରେ ଘଟିଥିବା ନାବାଳକ ହତ୍ୟା ଘଟଣାକୁ ନେଇ ଦୀର୍ଘ ଆଲୋଚନା ହୋଇଥିଲା। ତେନ୍ତୁଳିଆ ପଞ୍ଚାୟତ ନୂଆସାହି ଗ୍ରାମର ରାଧାମୋହନ ବାଗସିଂଙ୍କ ୧୨ ବର୍ଷୀୟ ପୁଅ ଦିନେଶ ଗତ ଶୁକ୍ରବାର ଦିନ ସ୍କୁଲର ମଧ୍ୟାହ୍ନ ବିରତି ସମୟରେ ମୁଢ଼ି ଆଣିବା ପାଇଁ ମାର୍କେଟ କମ୍ପ୍ଲେକ୍ସକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ବରହମପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ମାତ୍ର ଶନିବାର ସକାଳେ ମାର୍କେଟ କମ୍ପ୍ଲେକ୍ସ ପଛପଟେ ଥିବା ଏକ ନିର୍ମାଣାଧୀନ ଘର ଭିତରୁ ଦିନେଶଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଶୋକର ଛାୟା ଖେଳିଯାଇଥିଲା। ବିସ୍କୁଟ ଚୋରି କରିଥିବା ସନ୍ଦେହରେ ଦୋକାନୀ ଓ ତାଙ୍କ ସହଯୋଗୀମାନେ ନାବାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଦୋକାନ ଭଙ୍ଗାରୁଜା କରିଥିବାବେଳେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରି ଅଭିଯୁକ୍ତ ବାପ-ପୁଅଙ୍କୁ ଅଟକ ରଖିଥିଲା।
ଏହି ଘଟଣାକୁ ନେଇ ଭକ୍ତଚରଣ ଦାସ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଜଣେ ନିରୀହ ଓ ଅସହାୟ ଆଦିବାସୀ ଶିଶୁର ଜୀବନଠାରୁ କ’ଣ କିଛି ଟଙ୍କାର ବିସ୍କୁଟ ଅଧିକ ମୂଲ୍ୟବାନ ହୋଇଗଲା? ଜଣେ ୧୨ ବର୍ଷର ଶିଶୁ ଭୋକ ଜ୍ୱାଳାରେ କିଛି ଖାଦ୍ୟ ନେଇଥିବା ସନ୍ଦେହରେ ତାକୁ ମାଡ଼ ମାରିବା ପରିବର୍ତ୍ତେ ବୁଝାଇବା, ତାଗିଦ କରିବା କିମ୍ବା ଅଭିଭାବକଙ୍କୁ ଜଣାଇବାର ବିକଳ୍ପ ନଥିଲା କି? ଏକ ନିଷ୍ପାପ ଶିଶୁର ଜୀବନ ନେବାକୁ କାହାକୁ ଅଧିକାର ଦେଇଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ।
ଏଥିସହିତ ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ତତ୍ପରତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ମୃତକଙ୍କ ପରିବାର ଏଭଳି ଦୁଃଖଦ ସମୟରେ ଥିବାବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ଓ ଆବଶ୍ୟକ ସହାୟତା ଯୋଗାଇବାରେ ବିଳମ୍ବ କରିଥିବା ନେଇ ସେ ନିନ୍ଦା ପ୍ରକାଶ କରିଥିଲେ। ଜଣେ ଗରିବ ଆଦିବାସୀ ପରିବାରର ଶିଶୁର ମୃତ୍ୟୁ ଘଟଣାକୁ କେବଳ ଏକ ଅପରାଧିକ ମାମଲା ଭାବେ ନଦେଖି ସାମାଜିକ ନ୍ୟାୟ, ମାନବିକତା ଓ ଶିଶୁ ସୁରକ୍ଷାର ଗୁରୁତର ପ୍ରଶ୍ନ ଭାବେ ବିଚାର କରିବାକୁ ସେ ମତ ଦେଇଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର ସହାୟତା, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ ସରକାର ଅବିଳମ୍ବେ ପଦକ୍ଷେପ ନେବାକୁ ସେ ଦାବି ଜଣାଇଥିଲେ।
ଏହି ସାକ୍ଷାତ ଓ ଆଲୋଚନା ସମୟରେ ପିସିସି ଜନଜାତି କଂଗ୍ରେସ ସମ୍ପାଦକ ମଙ୍ଗ ସିଂ, ଜଳେଶ୍ୱର ବ୍ଲକ ଦଳିତ କଂଗ୍ରେସ ଅଧ୍ୟକ୍ଷ ଜନ୍ମଞ୍ଜୟ ଜେନା, ସୁଶାନ୍ତ ଜେନା, ଜଗନ୍ନାଥ ଜେନା, ପ୍ରଶାନ୍ତ ସିଂ, ରିତା ସିଂ, ହରେନ୍ଦ୍ର ମହାଳିକ, ରୁନୁ ସିଂ, ସୁଜାତା ଜେନା, ମାମୁନି ଜେନା, ଅନୁସୟା ଜେନା, ଅପରାଜିତା ଦଳେଇ, ଲକ୍ଷ୍ମୀ ଦଳେଇ, ଉମାକାନ୍ତ ଜେନା, ଅଞ୍ଜନ ଜେନା, ରତିକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।





