୧୭୨.୭୩ ଲକ୍ଷ ଟଙ୍କା ବ୍ୟୟରେ ବସ୍ତି ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ; ୨୦୨୩ରେ ପୌରପାଳିକାକୁ ହସ୍ତାନ୍ତର
ସଡ଼କ ଓ ଲୋକନିର୍ମାଣ ବିଭାଗର ପ୍ରକଳ୍ପ, ଆର୍ଥିକ ବ୍ୟବସ୍ଥା ଓ ଭିତ୍ତିଭୂମିର ସ୍ଥିତି ନେଇ ତଥ୍ୟ ତଲବ
ବାଲେଶ୍ୱର/ ନଭେମ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ବସ୍ତି ଉନ୍ନୟନ ଓ ଜିଲ୍ଲାର ସଡ଼କ ତଥା ଲୋକନିର୍ମାଣ ବିଭାଗ ଅଧୀନରେ ଚାଲିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ। ତାଙ୍କର ତାରକା ଚିହ୍ନିତ ପ୍ରଶ୍ନରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି, ଆର୍ଥିକ ବ୍ୟବସ୍ଥା, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଭବିଷ୍ୟତରେ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସେ ସରକାରଙ୍କଠାରୁ ତଥ୍ୟ ଲୋଡ଼ିଛନ୍ତି। ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ବାଲେଶ୍ୱର ପୌରାଞ୍ଚଳରେ ହୋଇଥିବା ବସ୍ତି ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ବାଲେଶ୍ୱର ପୌରାଞ୍ଚଳରେ ସହରାଞ୍ଚଳ ବସ୍ତି ଉନ୍ନୟନ କାର୍ଯ୍ୟ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଲୋକନିର୍ମାଣ ବିଭାଗ (R&B Division-I) ଦ୍ୱାରା ସମ୍ପାଦିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ମୋଟ ୧୭୨.୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ୩୧ ଅଗଷ୍ଟ ୨୦୨୩ରେ ଏହାକୁ ବାଲେଶ୍ୱର ପୌରପାଳିକାକୁ ହସ୍ତାନ୍ତର କରାଯାଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ, ବାଲେଶ୍ୱର ଜିଲ୍ଲାରେ ସଡ଼କ ଓ ଲୋକନିର୍ମାଣ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି କ’ଣ, ଏଥିପାଇଁ କେତେ ଅର୍ଥ ବ୍ୟୟବରାଦ ହୋଇଛି ଏବଂ ଆବଶ୍ୟକୀୟ ଆର୍ଥିକ ବ୍ୟବସ୍ଥା କରାଯାଇଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ଜନସାଧାରଣଙ୍କ ଯାତାୟାତ, ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ସଡ଼କ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନଃନିର୍ମାଣ କିମ୍ବା ନୂତନ ନିର୍ମାଣ ପାଇଁ ସରକାର କେବେ ଓ କି ପଦକ୍ଷେପ ଗ୍ରହଣ କରିବେ, ତାହା ମଧ୍ୟ ସେ ଜାଣିବାକୁ ଚାହିଁଛନ୍ତି। ଏହି ପ୍ରସଙ୍ଗରେ ବାଲେଶ୍ୱର ଲୋକନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (SE, R&B Division-I)ଙ୍କଠାରୁ ମଧ୍ୟ ବିଭାଗୀୟ ତଥ୍ୟ ଓ ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ବସ୍ତି ଉନ୍ନୟନ ପ୍ରକଳ୍ପର ବ୍ୟୟ ଓ ହସ୍ତାନ୍ତର ସମ୍ପର୍କରେ ସରକାରୀ ତଥ୍ୟ ସାମ୍ନାକୁ ଆସିଥିବାବେଳେ, ଜିଲ୍ଲାର ସଡ଼କ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଏବଂ ଆଗାମୀ ଯୋଜନା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବା ଜନସାଧାରଣଙ୍କ ପାଇଁ ଗୁରୁତ୍ୱ ବହନ କରୁଛି।





