ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ବାଲେଶ୍ୱର ପ୍ରଶାସନ ସଜାଗ

୧୨୪୪ଟି ଆଶ୍ରୟସ୍ଥଳୀ ଓ ୨୯୭ଟି ରନ୍ଧାଖାଦ୍ୟ କେନ୍ଦ୍ର ପ୍ରସ୍ତୁତ; ୨୭୬ ଗର୍ଭବତୀ ମହିଳା ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସମ୍ଭାବ୍ୟ ବାତ୍ୟା ‘ଅକଭାନ’ (AKVAN)କୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟାର ପ୍ରଭାବରେ ଜିଲ୍ଲାର ୩୨୯ଟି ଗ୍ରାମ ପଞ୍ଚାୟତର ପ୍ରାୟ ୨ ଲକ୍ଷ ୮୭ ହଜାର ୭୧୧ ଜଣ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ତେବେ ସଦ୍ୟତମ ସ୍ଥିତି ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ବ୍ଲକ କିମ୍ବା ଗ୍ରାମ ପଞ୍ଚାୟତ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନାହିଁ।

ବିପର୍ଯ୍ୟୟର ମୁକାବିଲା ଓ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍, ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍, ୧୨ଟି ଅଗ୍ନିଶମ ବାହିନୀ ଦଳ, ୧୨ଟି ପ୍ରାଣୀ ଚିକିତ୍ସା ଦଳ ଏବଂ ୧୨ଟି ଜଳସେଚନ ଦଳ ମୁତୟନ କରାଯାଇଛି। ଏଥିସହିତ ଜିଲ୍ଲା ଓ ବ୍ଲକ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି।

ଅନ୍ୟପକ୍ଷରେ, ନଭେମ୍ବର ୧୯ ତାରିଖ ଅପରାହ୍ନ ୨ଟା ସୁଦ୍ଧା ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ଜଳକା ନଦୀର ଜଳସ୍ତର ୩.୪୦ ମିଟର, ବୁଢ଼ାବଳଙ୍ଗ ନଦୀର ୧.୩୦ ମିଟର ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୪.୨୯ ମିଟର ରେକର୍ଡ କରାଯାଇଛି।

ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଓ ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲାରେ ୧,୨୪୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ୨୯୭ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି। ସମସ୍ତ ବ୍ଲକରେ ଯଥେଷ୍ଟ ପରିମାଣର ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ସେହିପରି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଚିହ୍ନଟ ହୋଇଥିବା ୧,୭୧୭ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨୭୬ ଜଣଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ସହ ପରିସ୍ଥିତିର ନିୟମିତ ସମୀକ୍ଷା କରୁଛି। ତଳିଆ ଓ ବିପଦସଙ୍କୁଳ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ସମସ୍ତ ସତର୍କ ସୂଚନା ଓ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.