ପବିତ୍ର ପାଣିଗ୍ରାହୀ, ତ୍ରିନାଥ ସିଂହ, କୃଷ୍ଣ କୁମାର ମହାନ୍ତିଙ୍କ ସମେତ ୧୫ ପ୍ରତିଭାଙ୍କୁ ସାହିତ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଗାଁ ମଜଲିସ୍ ସାହିତ୍ୟ ସଂସଦ’ ଏବଂ ସାହିତ୍ୟ ପତ୍ରିକା ‘ଶଂଖବେଳା’ ପକ୍ଷରୁ ଚଳିତ ବର୍ଷ ପାଇଁ ବିଭିନ୍ନ ସାହିତ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ନିମନ୍ତେ ମନୋନୀତ ପ୍ରତିଭାମାନଙ୍କ ନାମ ଘୋଷଣା କରାଯାଇଛି। ବିଶିଷ୍ଟ ପ୍ରାବନ୍ଧିକ ଡ. ବୈଷ୍ଣବ ଚରଣ ସାମଲ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଗାଁ ମଜଲିସ୍ ସାହିତ୍ୟ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଗାଳ୍ପିକ ପବିତ୍ର ପାଣିଗ୍ରାହୀ ‘ଶଂଖବେଳା ଗଳ୍ପ ସମ୍ମାନ’ ଏବଂ କବି ତ୍ରିନାଥ ସିଂହ ‘ଶଂଖବେଳା କବିତା ସମ୍ମାନ’ ପାଉଥିବା ବେଳେ ସାହିତ୍ୟିକ କୃଷ୍ଣ କୁମାର ମହାନ୍ତିଙ୍କୁ ‘ସାହିତ୍ୟ ଓ ସମ୍ପାଦନା ସମ୍ମାନ’ ପ୍ରଦାନ କରାଯିବ। ସେହିପରି ଯୁବ ନାଟ୍ୟକାର ଡକ୍ଟର ଦୀପକ ଜେନା ‘ମନମୋହନ ମହାପାତ୍ର ନାଟ୍ୟ ସମ୍ମାନ’ ପାଇବେ। ଅନ୍ୟ ମନୋନୀତ ପ୍ରତିଭାମାନଙ୍କ ମଧ୍ୟରେ ସୁବ୍ରତ ଦାସ ‘ଭୁବନାନନ୍ଦ ଦଳେଇ ଶିକ୍ଷା-ସାହିତ୍ୟ ସମ୍ମାନ’, ଶ୍ରୀ ଗୋବିନ୍ଦ ‘ମଦନମୋହନ ଦଳେଇ ସାହିତ୍ୟ ସମ୍ମାନ’, କବି କନକଲତା ଦାଶ ‘ପ୍ରଦ୍ୟୁମ୍ନ ମହନୀ ସ୍ମୃତି ସମ୍ମାନ’, କବୀ ପ୍ରବାସିନୀ ହୋତା ‘ସ୍ୱର୍ଣ୍ଣଲତା-ବିଶ୍ୱନାଥ ଲେଖିକା ସମ୍ମାନ’ ଏବଂ କବୀ ଯୋଗ୍ୟାଶ୍ରୀ ସାମଲ ‘ଜୟକୃଷ୍ଣ ବିଶ୍ୱାଳ ସାହିତ୍ୟ-ସେବା ସମ୍ମାନ’ ପାଇବେ। ସେହିପରି ମଧୁସୂଦନ ଦାସ ‘ଚିନ୍ତାମଣି ମଲ୍ଲିକ ଶିକ୍ଷକଶ୍ରୀ ସମ୍ମାନ’, କବୀ ସସ୍ମିତା ରାଉତ ‘ଗଣେଶ ମହାପାତ୍ର ସାହିତ୍ୟ ସମ୍ମାନ’, ସିନେ ତାରକା ବିକ୍ରମ ମହାନ୍ତି ଓ ଦିବ୍ୟଜ୍ୟୋତି ପାତ୍ର ଯୁଗଳବନ୍ଦୀ ଭାବେ ‘ଭାଗବତ-କମଳାକାନ୍ତ ଓଝା ନାଟ୍ୟକଳା ସମ୍ମାନ’, କନକଲତା ଦାଶ ମହାପାତ୍ର ‘କୋକିଳ-ଶୁକମଣି-ସୁମିତ୍ରା ଆଦର୍ଶ ଜନନୀ ସମ୍ମାନ’ ଏବଂ ରବୀନ୍ଦ୍ର ରାଉତ ‘ଲୋପାମୁଦ୍ରା ମେଧା ଗୌରବ ସମ୍ମାନ’ ପାଇବେ। କବି ଭରତ ଚନ୍ଦ୍ର ଦାଶଙ୍କୁ ‘ଗାଁ ମଜଲିସ୍ ଗୀତି ମଞ୍ଜୁଳ ସମ୍ମାନ’ ପ୍ରଦାନ କରାଯିବ।ସଂସଦର ସଭାପତି ଡ. ରମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୨୦ ତାରିଖରେ ଆୟୋଜିତ ହେବାକୁ ଥିବା ସଂସଦର ବାର୍ଷିକ ଉତ୍ସବରେ ମନୋନୀତ ପ୍ରତିଭାମାନଙ୍କୁ ଏହି ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସମ୍ପାଦକ ଦେବେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି। ବୈଠକରେ ନବକିଶୋର ଦାସ, ସୁରେନ୍ଦ୍ରନାଥ ବାରିକ, ବିଜୟ କୁମାର ମହାପାତ୍ର, ଚେମେଇ ଦାସ, ଦାମୋଦର ଦାଶ ମହାପାତ୍ର, ଡ. ରବୀନ୍ଦ୍ର ବିହାରୀ, ମହେଶ୍ୱର ପଣ୍ଡା, ରବୀନ୍ଦ୍ର କୁମାର ଦାସ, ଗୋଲକ ପାତ୍ର, ସୁଧାକର ସାମଲ, ନରେନ୍ଦ୍ର ସାମଲ, ଚକ୍ରଧର ପାଢ଼ୀ, ଅଚ୍ୟୁତ କୁମାର ପଣ୍ଡା, ମହେନ୍ଦ୍ର ସାହୁ, ସୁରଞ୍ଜନ ପାତ୍ର ଓ ଚନ୍ଦ୍ରମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।





