ଗରିବ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପରୀ’

● ଜିଲ୍ଲା ପ୍ରଶାସନର ଅନୁମତି ନେଇ ଆଜିଠୁ ଦୈନିକ ୩ ଥର ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ପ୍ରସ୍ତୁତ ଅଛି ‘ପରୀ’

ବାଲେଶ୍ଵର,୨୭/୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ବର୍ତ୍ତମାନ ସାରା ବିଶ୍ବ ମହାମାରୀ କରୋନା ପାଇଁ ଆତଙ୍କିତ ହୋଇପଡ଼ିଛି। ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣଙ୍କ ହିତ ପାଇଁ ଅନେକ ପଦକ୍ଷେପମାନ ନେଉଛନ୍ତି, ଯାହାକୁ ଜନସାଧାରଣ ପୃର୍ଣ୍ଣ ମାତ୍ରାରେ ସହଯୋଗ କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଅର୍ଥ ରାଶି ଯୋଜନା ମାନ ଘୋଷଣା କରିଛନ୍ତି । କିନ୍ତୁ ଯେଉଁମାନେ ପ୍ରତିଦିନ ଭିକ୍ଷା ବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ସେମାନେ ଲକ୍-ଡାଉନ୍ ସ୍ଥିତିରେ ଏଇ କେତେଦିନ ହେବ ଭୋକଉପାସରେ ପଡି ରହିଥିବାର ଚିତ୍ର ସାମାଜିକ ଗଣମାଧ୍ୟମରେ ଆସିବା ପରେ ମଧ୍ୟ ସରକାରୀ ବ୍ୟବସ୍ଥା କିଛି ନାହିଁ।

ଏହି ସମୟରେ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛି ବାଲେଶ୍ବରର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ପରୀ’। ପ୍ରତିଦିନ ଏମାନଙ୍କୁ ‘ପରୀ’ ପକ୍ଷରୁ ତିନିଥର ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଏଥିସହ ମହାମାରୀ କରୋନା ପାଇଁ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ଏ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଛି ବୋଲି ‘ପରୀ’ର ଅଧ୍ୟକ୍ଷା ରଂଜିତା ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଧ୍ୟକ୍ଷାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପ୍ରତିଦିନ ସକାଳୁ ବିସ୍କୁଟ,ପୂର୍ବାହ୍ନରେ ଚୁଡ଼ା, ଗୁଡ଼, ଫଳ ଏବଂ ଅପରାହ୍ନରେ ମୁଢି,ମିକ୍ସଚର୍ ଦିଆ ଯାଉଥିବା ବେଳେ ଆଜି ଠାରୁ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ପ୍ରତିଦିନ ତିନି ଓଳି ଏମାନଙ୍କୁ ପରୀ ସଂଗଠନ ପକ୍ଷରୁ ଆମେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀମତୀ ମହାପାତ୍ର କହିଛନ୍ତି।

ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇତିକୃଷ୍ଣା ସ୍ବାଇଁ, ସ୍ବାଗତିକା ବାରିକ, ମୋନାଲିସା ପାଣିଗ୍ରାହୀ, କାମିନୀ ପରିଡ଼ା ପ୍ରମୁଖ ସହଯୋଗ କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ‘ପରୀ’ ସଂଗଠନ ପକ୍ଷରୁ ଗରିବ, ଅସହାୟଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିବା ବେଳେ ମହାମାରୀ କରୋନା ପାଇଁ ଯେଉଁମାନେ ଜରୁରୀ ସେବା କରୁଛନ୍ତି ସେମାନଙ୍କୁ ମଧ୍ୟ ବିନା ମୂଲ୍ୟରେ ମାସ୍କ ଯୋଗାଇ ଦିଆ ଯାଇଛି। ଏ ପର୍ଯ୍ୟନ୍ତ ପାଖାପାଖି ୧୦ ହଜାର ମାସ୍କ ବଣ୍ଟନ ସରିଛି ବୋଲି ସଭାପତି ରଂଜିତା ମହାପାତ୍ର କହିଛନ୍ତି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.