୬୨ଟି ପ୍ୟାକେଟରେ ଥିଲା ପାଖାପାଖି ୧ କୋଟି ଟଙ୍କାର ୧୬୧୮କେଜି ଗଂଜେଇ
ରାୟଗଡ: ରାୟଗଡ ଥାନା ପୋଲିସ ଦ୍ୱାରା ଆରଟିଓ ଅଫିସରେ ଅଟକାଇ ଯାଇଥିବା ଏକ ତେଲ ଟ୍ୟାଙ୍କରରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି । ଉକ୍ତ ତେଲ ଟ୍ୟାଙ୍କରରୁ ୬୨ଟି ବସ୍ତାରୁ ୧୬୧୮କେଜି ୪୦୦ଗ୍ରାମର ଗଂଜେଇ ଜବତ କରିଛି ରାୟଗଡ ଥାନା ପୋଲିସ । ଏହି ଘଟଣାରେ ସଂପୃକ୍ତ ଟ୍ୟାଙ୍କର ଗାଡି ଡ୍ରାଇଭର ରାମ କୁମାର ଓରଫ ଶିବଶଙ୍କର ଯାଦବଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଡ୍ରାଇଭର ରାମ କୁମାରର ମନିପର୍ସରୁ ୭୦୦୦ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ରାମ କୁମାରର ଘର ବିହାର ରାଜ୍ୟର ପଟନା ଜିଲ୍ଳା ନଦିଥରା ଥାନା ଅନ୍ତର୍ଗତ ଜେଠୁଲି ଗ୍ରାମ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ରାୟଗଡ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳିପ କୁମାର ଦଳେଇଙ୍କ ଲିଖିତ ଅଭିଯୋଗ ପରେ ରାୟଗଡ ଥାନା କେସ ନମ୍ବର ୨୯୨ ପ୍ରକାରେ ୟୁ/ଏସ ୨୦(ବି)( । ।)(ସି)୨୫/୨୯ ଅଫ୍ ଏନଡିପିଏସ୍ ଏକ୍ଟ ୧୯୮୫ ଆଇପିସି ଧାରାରେ ଅଭିଯୁକ୍ତ ଡ୍ରାଇଭର ରାମ କୁମାରକୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉ କି,ଗତ ଶନିବାର ଦିନ ରାୟଗଡ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ଦଳେଇ ରାୟଗଡ-କେରଡା ମୁଖ୍ୟ ରାସ୍ତାର ଜଗନ୍ନାଥପୁର ନିକଟରେ ଗାଡିଗୁଡିକୁ ଯାଂଚ କରୁଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ବିହାର ରାଜ୍ୟର ପଟନାକୁ ଯାଉଥିବା ଏକ ଟାଟା ତେଲ ଟ୍ୟାଙ୍କର (ଏନଲଏ୦୩ଏ-୫୬୯୫) ଗାଡିକୁ ଅଟକାଇ କାଗଜପତ୍ର ମାଗିଥିଲେ । ତେବେ ଗାଡି ଡ୍ରାଇଭର ସଠିକ୍ ଥିବା କୈାଣସି କାଗଜପତ୍ର ନ ଦେଖାଇବାରୁ ଜୋରିମାନା ବାବଦକୁ ଆରଟିଓ ଶ୍ରୀ ଦଳେଇ ଟ୍ୟାଙ୍କରକୁ ନିଜ କାର୍ଯ୍ୟାଳୟରେ ଅଟକାଇ ରଖିଥିଲେ । ତେବେ ଦୁଇ ଦିନ ପରେ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରେ ଗଂଜେଇ ବାସ୍ନା ହେଉଥିବାରୁ ଟ୍ୟାଙ୍କରକୁ ସନ୍ଦେହ କରି ଦେଖାଯାଇଥିଲା ।
ଟ୍ୟାଙ୍କର ଭିତରେ ବହୁ ପ୍ୟାକେଟ୍ଗୁଡିକ ରହିଥିବାରୁ ତୁରନ୍ତ ଆରଟିଓ ଶ୍ରୀ ଦଳେଇ ଏ ନେଇ ରାୟଗଡ ଥାନାକୁ ଜଣାଇଥିଲେ । ଖବର ପାଇ ରାୟଗଡ ଥାନା ଏସ.ଆଇ.ସୈାମ୍ୟରଂଜନ ପତି ଟ୍ୟାଙ୍କରରେ ଛାନଭିନ କରିବା ପରେ ଡ୍ରାଇଭର ରାମ କୁମାର ଓ ଗାଡିକୁ ଥାନାକୁ ଆଣିଥିଲେ । ମଙ୍ଗଳବାର ଦିନ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ସୁନୀଲ ଖରାଙ୍କ ଉପସ୍ଥିତିରେ ଟ୍ୟାଙ୍କରରୁ ୬୨ଟି ଗଂଜେଇ ପ୍ୟାକେଟ ବାହାର କରାଯାଇ ଓଜନ କରାଯାଇଥିବା ବେଳେ ଏଥିରୁ ୧୬୧୮ କେଜି ୪୦୦ଗ୍ରାମର ଗଂଜେଇ ଜବତ ହୋଇଛି ଏବଂ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କାର ହୋଇପାରେ ବୋଲି ପୋଲିସ ଅନୁମାନ କରିଛି ।
ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in