ସୋମବାର ଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ବିଭାଗରେ ନାମ ଲେଖା ଆରମ୍ଭ ହୋଇଛି । ଏହି ମର୍ମରେ ପ୍ରଥମ ପର୍ଯ୍ୟାୟରେ କଟ୍ ଅଫ ମାର୍କ ପ୍ରକାଶିତ ହେବା ପରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଛି ଏବଂ ରାୟଗଡ ଜିଲ୍ଲାରେ ଏହା ଆସନ୍ତା ୨୬ତାରିଖ ଯାଏଁ ଜାରି ରହିବ ବୋଲି ସୂଚନା ମିଳିଛି । ଏହି ମର୍ମରେ ରାୟଗଡ ମହିଳା ମହାବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟରେ କରୋନା କଟକଣା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାର କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ମହାବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରଖି ନାମ ଲେଖା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ କଲେଜ କ୍ୟାମ୍ପସ ପ୍ରବେଶ ଦ୍ୱାରରେ ପାଣି, ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।
ରାୟଗଡ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପ୍ରଥମ ଦିନରେ ୪୦ଜଣ ଛାତ୍ରୀ ନାମ ଲେଖାଇଥିବା ବେଳେ କଳା ବିଭାଗରେ ୪୪ଜଣ ଛାତ୍ରୀ ନାମ ଲେଖାଇଛନ୍ତି । ବିଞାନ ବିଭାଗରେ ମୋଟ ୧୯୨ଟି ମଂଜୁରୀ ସିଟ୍ ସଂଖ୍ୟା ରହିଥିବା ବେଳେ ୧୭୩ଟି ଓ କଳା ବିଭାଗରେ ୩୨୦ଟି ମଂଜୁରୀ ସିଟ୍ ସଂଖ୍ୟାରୁ ୩୦୩ଟି ମେରିଟ୍ ପ୍ରକାରେ ଛାତ୍ରୀ ଚୟନ କରାଯାଇଛି । ବିଜ୍ଞାନ ବିଭାଗ ପାଇଁ ସର୍ବାଧିକ ୭୪.୮୩ ଓ ସର୍ବନିମ୍ନ ୩୩ ପ୍ରତିଶତ ମେରିଟ୍ ହାର ରଖାଯାଇଥିବା ବେଳେ କଳା ବିଭାଗରେ ସର୍ବାଧିକ ୮୪ ପ୍ରତିଶତ ଓ ସର୍ବନିମ୍ନ ୩୩ ପ୍ରତିଶତ ହାର ମାର୍କ ପ୍ରକାରେ ନାମ ଲେଖା ଚାଲିଥିବା କର୍ତୁପକ୍ଷ ସୂଚନା ଦେଇଛନ୍ତି ।
ସେହିପରି ରାୟଗଡ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ୩୨୦ଟି ଲେଖାଁଏ ମଂଜୁରୀ ସିଟ୍ ରହିଥିବା ବେଳେ ବିଜ୍ଞାନ ବିଭାଗ ନିମନ୍ତେ ୩୧୬, କଳା ବିଭାଗ ପାଇଁ ୨୭୧ ଏବଂ ବାଣିଜ୍ୟ ବିଭାଗ ନିମନ୍ତେ ୩୧୮ଟି ମେରିଟ୍ ଆବେଦନ ପ୍ରକାରେ ଚୟନ କରାଯାଇଛି । ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ ଉକ୍ତ ୩ଟି ବିଭାଗରେ ୯୦ଜଣ ଲେଖାଁଏ ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଜ୍ଞାନ ବିଭାଗରେ ୪୯ଜଣ, କଳାରେ ୪୧ ଓ ବାଣିଜ୍ୟ ବିଭାଗରେ ୫୪ଜଣ ଛାତ୍ରଛାତ୍ରୀମାନେ ନାମ ଲେଖାଇଥିବା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୂଚନା ପ୍ରଦାନ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in